ଦଳକୁ ଫେରିପାରନ୍ତି ଶିବସେନା ବିଦ୍ରୋହୀ ବିଧାୟକ, ଚିନ୍ତାରେ ସିନ୍ଦେ ସରକାର!
ମୁମ୍ବାଇ (ଆମ ଟିଭି): ଦଳକୁ ଫେରିପାରନ୍ତି ଶିବସେନା ବିଦ୍ରୋହୀ ବିଧାୟକ । ଏକନାଥ ସିନ୍ଦେଙ୍କ ଲାଗି ଏବେ ଚିନ୍ତାର କାରଣ ପାଲଟିଛି। ତାଙ୍କର ଯୋଜନା ଏବେ ଯୋଜନାରେ ରହି ଯାଇଛି। ସରକାର ଗଠନକୁ ୩ ମାସ ବିତିଗଲାଣି, ତେବେ ସାଙ୍ଗରେ ନେଇଥିବା ବିଧାୟକଙ୍କ ଅସନ୍ତୋଷ ଏବେ ସିନ୍ଦେଙ୍କୁ ସହିବାକୁ ପଡୁଛି। ବିଧାୟକଙ୍କ ଅସନ୍ତୋଷ ଯୋଗୁ ମନ୍ତ୍ରୀମଣ୍ଡଳର ଦ୍ୱିତୀୟ ସମ୍ପ୍ରସାରଣ ମଧ୍ୟ ସିନ୍ଦେ କରି ପାରୁ ନାହାନ୍ତି। କାରଣ ସିନ୍ଦେଙ୍କ ସହ ଶିବସେନାରୁ ଆସିଥିବା ଅଧିକାଂଶ ବିଧାୟକ ଏବେ ନିଜକୁ ମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। କେବଳ ବିଧାୟକଙ୍କ ଅସନ୍ତୋଷ ନୁହେଁ ଅସଲି ଓ ନକଲୀ ଶିବସେନା ବିବାଦ ବି ଚାଲିଛି।
ଯାହା ସୁପ୍ରିମକୋର୍ଟ ଓ ନିର୍ବାଚନ ଆୟୋଗରେ ବିଚାରାଧୀନ ଅଛି। ଏଥିରେ ଏପରି ବି ଚର୍ଚ୍ଚା ହେଉଛି ଯେ ମନ୍ତ୍ରୀ ନ ହୋଇପାରିଲେ ଶିବସେନା ବିଧାୟକ ଉଦ୍ଧବ ଗୋଷ୍ଠୀଙ୍କୁ ଫେରି ଯାଇ ପାରନ୍ତି। ଯାହା ଏବେ ସିନ୍ଦେଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଯଦି ଏପରି କିଛି ହୁଏ ତେବେ ଏକନାଥ ସିନ୍ଦେଙ୍କ ଲାଗି ବାସ୍ତବିକ ଅସୁବିଧାର କାରଣ ହେବ। ଯଦି କିଛି ବିଧାୟକ ଏକନାଥ ସିନ୍ଦେଙ୍କୁ ଛାଡି ପୂରୁଣା ଦଳକୁ ଫେରି ଯାଆନ୍ତି ସିନ୍ଦେଙ୍କ ଲାଗି ଦଳ ବଦଳ ବିପଦ ସୃଷ୍ଟି କରିବ। ଶିବସେନାରେ ବିଦ୍ରୋହ କରି ଏକନାଥ ସିନ୍ଦେ ସରକାର ଗଢିବା ବେଳେ ତାଙ୍କ ସହ ୪୦ ବିଧାୟକ ଥିଲେ। ଶିବସେନାର ମୋଟ ୫୪ ଜଣ ବିଧାୟକ। ଉପୁଜିଥିବା ପରିସ୍ଥିତିରେ ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ସିନ୍ଦେଙ୍କ ସହ ଯେମିତିବି ହେଉ ୩୭ ଜଣ ବିଧାୟକ ରହିବା ଏବେ ଜରୁରି। ଯାହା ଦ୍ୱାରା ସିନ୍ଦେ ଦଳବଦଳ ଆଇନରୁ ବର୍ତ୍ତିପାରିବେ।
ଏଥିରେ ଯଦି ୪ ଜଣ ବିଧାୟକ ସିନ୍ଦେଙ୍କ ସାଥ ଛାଡି ଦିଅନ୍ତି ତେବେ ତାଙ୍କ ସହ ୩୬ ଜଣ ବିଧାୟକ ରହିବେ ଫଳରେ ଦଳ ବଦଳ ଆଇନ ଲାଗୁ ହୋଇଯିବ। ଏହା ହିଁ ବର୍ତ୍ତମାନ ସମୟରେ ଏକନାଥ ସିନ୍ଦେଙ୍କ ଲାଗି ସବୁଠୁ ବଡ ଆହ୍ୱାନ। ଏଣୁ ବିଧାୟକଙ୍କୁ ରାଜି କରିବା ପ୍ରୟାଶରେ ଲାଗି ରହିଛନ୍ତି। ଏଥିରେ ସିନ୍ଦେ ଗୋଷ୍ଠୀର ଜନୈକ ସଦସ୍ୟଙ୍କ କହିବା କଥା ହେଲା ପୁରା ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ। ଏହା ଛଡା ନିର୍ବାଚନ ଆୟୋଗରେ ମଧ୍ୟ ଉଭୟ ପକ୍ଷଙ୍କ ଆବେଦନ ଲମ୍ବିତ ରହିଛି। ଏଥିରେ ଯଦି ସିନ୍ଦେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରନ୍ତି ଓ କାହାକୁ ମନ୍ତ୍ରୀ ପଦ ନ ମିଳିବାରୁ ଉଦ୍ଧବ ଗୋଷ୍ଠୀଙ୍କୁ ଚାଲିଗଲା ତେବେ ଅସଲି ଶିବସେନା ଦାବିର ଆଧାର ମଧ୍ୟ ଦୁର୍ବଳ ହୋଇଯିବ। ଏକନାଥ ସିନ୍ଦେଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ୪୦ ବିଧାୟକଙ୍କ ମଧ୍ୟରୁ ମାତ୍ର ୯ ଜଣ ମନ୍ତ୍ରୀ ହୋଇଛନ୍ତି।