ଚଣ୍ଡିଗଡ଼ (ଆମ ଟିଭି): ସିଦ୍ଧୁ ମୁସେୱାଲଙ୍କ ମୃତ୍ୟୁ ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟାକାଣ୍ଡ ଘଟଣାର ଶେଷ ଶୁଟରକୁ ପୁଲିସ୍ ଗିରଫ କରିଛି। ମୁସେୱାଲାଙ୍କୁ ୬ ଜଣ ଶୁଟର ଅତ୍ୟନ୍ତ ନିକଟରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ। ଦିଲ୍ଲୀ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଜାବ ପୁଲିସ୍ର ଏନକାଉଣ୍ଟରରେ ୨ ଜଣ ଶୁଟର ନିହତ ହୋଇଥିଲେ। ଏବେ ଶେଷ ତଥା ୬ନଂ ଶୁଟର ପୁଲିସ୍ ହାତରେ ଧରାପଡ଼ିଛି।
ବର୍ତ୍ତମାନ ଗିରଫ ହୋଇଥିବା ଶୁଟର୍ର ନାଁ ଦୀପକ ଓରଫ ମୁଣ୍ଡି। ପଞ୍ଜାବ ପୁଲିସ୍ ଓ କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ମୁଣ୍ଡି ଓ ତା’ର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜିନ୍ଦରକୁ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରାଯାଇଛି। ଏ ସମ୍ପର୍କରେ ପଞ୍ଜାବ ପୁଲିସ୍ ମହାନିର୍ଦ୍ଦେଶକ ଗୌରବ ଯାଦବ ସୂଚନା ଦେଇଛନ୍ତି। ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ଏହାର କିଛି ମାସ ପରେ ଅର୍ଥାତ ମେ’ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲାରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ମୁସେୱାଲାଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା।