ସାଇ ଜନନୀ ଠାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଦିବ୍ଯ ପାଦୁକା ପ୍ରତିଷ୍ଠା ମହୋତ୍ସବମ୍ 

0

ଭୁବନେଶ୍ବର (ଆମ ଟିଭି): ଗତ ତା – ୧୮୵୦୧୵୨୬ ରିଖ, ରବିବାର ଦିନ, କଟକ ବାଲିଯାତ୍ରା ପଡ଼ିଆ ଠାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ରାଜ୍ଯ ସ୍ତରୀୟ ୧୦୦ ତମ ଜନ୍ମ ମହୋତ୍ସବ ପାଳନ ଅବସରରେ, ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ସ୍ୱର୍ଣ୍ଣିମ ରାଜ୍ଯ ସମ୍ମିଳନୀ ତଥା ଶ୍ରୀ ସତ୍ୟସାଇ ଦିବ୍ଯ ପାଦୁକା ଯାତ୍ରାର ସମାବର୍ତ୍ତନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ସମଗ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୫୦୦୦୦ ଲୋକ ଏକତ୍ରିତ ହୋଇଥିଲେ।

ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଦିବ୍ଯ ପାଦୁକା ୨୦୨୨ ମସିହାରେ ପ୍ରଶାନ୍ତି ନୀଳୟମରୁ ଭୁବନେଶ୍ବରକୁ ଆଗମନ କରିଥିଲେ। ସେଠାରୁ, ପ୍ରଭୁଙ୍କର ସୂକ୍ଷ୍ମ ଶରୀର ପାଦୁକା ରୂପେ, ଦୀର୍ଘ ସାଢେ ତିନି ବର୍ଷ ଧରି ଓଡ଼ିଶାର ୩୫ ଟି ସାଇ ଜିଲ୍ଲା ଅନ୍ତର୍ଭୁକ୍ତ ସମସ୍ତ ଶ୍ରୀ ସତ୍ୟସାଇ ସେବା ସମିତି, ୧୦୫୦୦ ଗ୍ରାମ, ୪୦୦୦୦ ରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରିଛନ୍ତି। ୧୮ ତାରିଖ ଦିନ ଅନୁଷ୍ଠିତ ମହାସମାରୋହ ପରେ ପରେ, ପ୍ରଭୁ ରଥାରୂଢ ହୋଇ ପୁନର୍ବାର ସାଇ ଜନନୀକୁ ଆଗମନ କରିଥିଲେ।

ସେଠାରେ ୧୯ ତାରିଖ ସକାଳ ସାତଟାରୁ ୨୩ ତାରିଖ ସକାଳ ଏଗାରଟା ପର୍ଯ୍ୟନ୍ତ ଅଖଣ୍ଡ ରୁଦ୍ର ପାରାୟଣ ତଥା ଅଖଣ୍ଡ ଭଜନ, ଦୀର୍ଘ ୧୦୦ ଘଣ୍ଟା ଧରି ଅନୁଷ୍ଠିତ ହୋଇଯାଇଛି। ତତସହିତ ଦିବ୍ଯ ପାଦୁକା ପ୍ରତିଷ୍ଠା ଯଜ୍ଞ ମଧ୍ଯ ଅନୁଷ୍ଠିତ ହୋଇଯାଇଛି।

ଏହି ଅଖଣ୍ଡ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତ୍ୟେକ ଟି ସାଇ ଜିଲ୍ଲାର ଅନେକ ସାଇ ଆଶ୍ରିତ ଯୋଗଦାନ ଦେବାର ଅପୂର୍ବ ସୁଯୋଗ ଲାଭ କରିଛନ୍ତି। ୨୩ ତାରିଖ ଦିନ ଦିବ୍ଯ ପାଦୁକା ସାଇ ଜନନୀଠାରେ ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଅନେକ ସାଇ ଆଶ୍ରିତଙ୍କ ଗହଣରେ ପ୍ରତିଷ୍ଠିତ ହୋଇଛନ୍ତି।

Leave A Reply

Your email address will not be published.