ଭୁବନେଶ୍ବର (ଆମ ଟିଭି): ଆଜି ବିଶ୍ୱ କ୍ୟାନ୍ସର ଦିବସ। କ୍ୟାନ୍ସର କୁ ନେଇ ଆମେ ସମସ୍ତେ ଚିନ୍ତିତ । କେବେ ଭାବିଛନ୍ତି ଆମର ଆଧୁନିକ ଜୀବନଶୈଳୀ ଧୀରେ ଧୀରେ ଆମକୁ ମାରାତ୍ମକ ରୋଗ ଆଡ଼କୁ ଠେଲିଦେଉଛି। ଆଜି ଆମେ ସ୍ୱାସ୍ଥ୍ୟ ବୀମା କିଣୁଛୁ, ଡାକ୍ତରଖାନା ଖୋଜୁଛୁ ଓ ଔଷଧର ମୂଲ୍ୟ ହିସାବ କରୁଛୁ, କିନ୍ତୁ ପ୍ରକୃତି ଯେ ଆମକୁ ମାଗଣାରେ ସ୍ୱାସ୍ଥ୍ୟ ଦେଇଛି, ସେଥିପାଇଁ ଆମେ ଅନେକ ସମୟ ଅବହେଳା କରୁଛୁ। ସ୍ୱାସ୍ଥ୍ୟ କୌଣସି ମେସିନ୍ରେ ନାହିଁ, ଏହା ରହିଛି ଶୁଦ୍ଧ ବାୟୁରେ, ସୂର୍ଯ୍ୟକିରଣରେ ଓ ଗଭୀର ନିଶ୍ୱାସ-ପ୍ରଶ୍ୱାସରେ। ପ୍ରଶ୍ନ ଏହା ନୁହେଁ ଯେ ଔଷଧ କେତେ ଶସ୍ତା ହେଲା, ପ୍ରଶ୍ନ ହେଉଛି—ଆମେ କି ଶରୀରରେ ରୋଗ ପ୍ରବେଶ କରିବାକୁ ରୋକିପାରୁଛୁ? କାରଣ ଚିକିତ୍ସା ଆରମ୍ଭ ହେବା ସମୟରେ ଅନେକ କ୍ଷତି ହୋଇସାରିଥାଏ। ଯେତେବେଳେ ଜୀବନଶୈଳୀରେ ସୁଧାର ଆସେ, ରୋଗ ନିଜେ ଦୂରେ ରହେ। ସେଥିପାଇଁ ଆଜି ସ୍ୱାସ୍ଥ୍ୟ ମାନେ କେବଳ ହସ୍ପିଟାଲ୍ ନୁହେଁ, ବରଂ ପାର୍କରେ ଚାଲିବା, ଠିକ୍ ଭାବରେ ନିଶ୍ୱାସ ନେବା ଓ ସରଳ ଜୀବନଯାପନ କରିବାର କଳା।
ସବୁଜ ପରିବେଶ, ଉଦ୍ୟାନ ଓ ଗଛ ଏକ ପ୍ରାକୃତିକ ଔଷଧ ଭଳି କାମ କରେ। ଦୀର୍ଘ ଜୀବନ ଓ କର୍କଟ ଭଳି ମାରାତ୍ମକ ରୋଗକୁ ରୋକିବାରେ ଏହା ସାହାଯ୍ୟକାରୀ। ଏହାକୁ “ଫରେଷ୍ଟ ବଣ୍ଡିଂ” କୁହାଯାଏ, ଜାପାନରେ ଯାହା “ଶିନରିନ୍-ୟୋକୁ” ନାମରେ ପରିଚିତ। ଏଥିରେ ପାଞ୍ଚଟି ଇନ୍ଦ୍ରିୟ ମାଧ୍ୟମରେ ଜଙ୍ଗଲକୁ ଅନୁଭବ କରାଯାଏ—ସବୁଜ ପତ୍ର ଦେଖିବା, ଗଛର ସୁଗନ୍ଧ ନେବା, ପକ୍ଷୀର ଶବ୍ଦ ଶୁଣିବା, ମାଟି ଓ ଗଛକୁ ଛୁଇଁବା ଏବଂ ଶୁଦ୍ଧ ବାୟୁ ଅନୁଭବ କରିବା।
ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ, ଜଙ୍ଗଲରେ ସମୟ ବିତାଇଲେ ଶରୀରର “ନ୍ୟାଚୁରାଲ କିଲର୍ ସେଲ୍” ସକ୍ରିୟ ହୁଏ, ଯାହା କର୍କଟ କୋଷ ଓ ଭାଇରସକୁ ବୃଦ୍ଧି ପାଇବାରୁ ରୋକିଥାଏ। ଘନ ଜଙ୍ଗଲରେ କେବଳ ଗୋଟିଏ ଦିନ ରହିଲେ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି କିଛି ସପ୍ତାହ ପାଇଁ ମଜବୁତ ହୁଏ। ଏହି କାରଣରୁ ଜାପାନରେ ଫୁସଫୁସ, ସ୍ତନ ଓ ପ୍ରୋଷ୍ଟେଟ୍ କର୍କଟରେ ମୃତ୍ୟୁ ହାର ଅନ୍ୟ ଦେଶ ତୁଳନାରେ କମ୍।
ଆଜିର ସବୁଠାରୁ ବଡ଼ ବିଷ ହେଉଛି “ଟେକ୍ନୋଷ୍ଟ୍ରେସ୍”। ମୋବାଇଲ୍, ସ୍କ୍ରିନ୍ ଓ ଶବ୍ଦ ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କମାଇଦେଉଛି। ଏହାର ସବୁଠାରୁ ସହଜ ଓ ଶସ୍ତା ଉପାୟ ହେଉଛି ଜଙ୍ଗଲର ଶାନ୍ତି। ପ୍ରତିଦିନ ଜୀବନରେ ଯଦି ଟିକିଏ ସବୁଜ ପରିବେଶ, ଟିକିଏ ପବନ ଓ ଟିକିଏ ଶାନ୍ତି ଯୋଡାଯାଏ, ତେବେ ଔଷଧର ଆବଶ୍ୟକତା ହ୍ରାସ ପାଇପାରେ।
କର୍କଟ ରୋଗ ଯଦି ଆରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୁଏ, ତେବେ ଜୀବନ ବଞ୍ଚାଇବା ସମ୍ଭାବନା ଅଧିକ ଥାଏ। ରିପୋର୍ଟ ଅନୁଯାୟୀ, ପ୍ରତି ୯ ଜଣରେ ଜଣେ କର୍କଟ ଆଶଙ୍କାରେ ରହୁଛନ୍ତି। ଭାରତରେ ପ୍ରାୟ ୪୦% ମହିଳା ସ୍ତନ କର୍କଟରେ ପ୍ରଭାବିତ। ଗତ ୧୦ ବର୍ଷରେ ମୃତ୍ୟୁ ହାର କମିଥିଲେ ମଧ୍ୟ କର୍କଟ ରୋଗ ଦ୍ରୁତ ଗତିରେ ବଢ଼ୁଛି।
- କର୍କଟ ରୋଗର ମୁଖ୍ୟ କାରଣ
()ମେଦବହୁଳତା
()ଧୂମପାନ
()ମଦ୍ୟପାନ
()ପ୍ରଦୂଷଣ
()କୀଟନାଶକ
- କେଉଁ ଖାଦ୍ୟ ଖାଇବେନାହିଁ
()ପ୍ରୋସେସ୍ଡ ଖାଦ୍ୟ
()ଭଜା ଖାଦ୍ୟ
()ଲାଲ ମାଂସ
()କାର୍ବୋନେଟେଡ୍ ପାନୀୟ
- ପ୍ରାକୃତିକ ଉପାୟରେ କେମିତି କରିବେ କର୍କଟ ନିବାରଣ
()ଗହମ ଘାସ
()ଆଲୋଭେରା
()ନିମ
()ତୁଳସୀ
()ହଳଦୀ