ପାଣାଜି (ଆମ ଟିଭି): ସାରା ଦେଶରେ ତଳିଚଳାନ୍ତ ହେବାକୁ ଯାଉଛି କଂଗ୍ରେସ । ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି । ଦଳରୁ ବହୁ ପୁରୁଖା ନେତା ଦୂରେଇ ଯାଉଛନ୍ତି । ଏହାରି ଭିତରେ ନିକଟରେ ଗୋଆ କଂଗ୍ରେସରୁ ୮ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି । ଏହି ୮ ଜଣ ବିଧାୟକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଅଜି ରାତିରେ ୬ ଜଣ ବିଧାୟକ ବିମାନରେ ଦିଲ୍ଲୀ ଯାତ୍ରା କରିବେ।
ବିଧାୟକ ମାଇକେଲ ଲୋବୁ ଏବଂ ଦିଗମ୍ବର କାମତ ଏବେ ଗୋଆ ବାହାରେ ଅଛନ୍ତି। ଉଭୟେ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବେ। ସେହିପରି ସମ୍ପୃକ୍ତ ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବାର କାର୍ୟ୍ୟକ୍ରମ ରହିଛି। ଗୋଆ ବିଧାନସଭାର ବାଚସ୍ପତି ରମେଶ ତାୱଡକର ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ଘଟଣାକୁ ଗ୍ରହଣ କରିଛନ୍ତି । ଏକ ନାଟକୀୟ ଢଙ୍ଗରେ ଗୋଆ ବିଧାନସଭାରେ ଥିବା କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ ।