ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହାରି ଭିତରେ ଅନେକ ବରିଷ୍ଠ ନେତା ଏହି ସଭାପତି ରେସରେ ଅଛନ୍ତି । ଅନ୍ୟପଟେ ସୋମବାର କଂଗ୍ରେସ ସାଂସଦ ଶଶି ଥରୁର ଦଳର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ୧୦ ଜନପଥସ୍ଥିତ ସୋନିଆଙ୍କ ବାସଭବନରେ ହୋଇଛି ଏହି ଭେଟଘାଟ। ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସର ସଭାପତି ନିର୍ବାଚନ ଥିବା ବେଳେ ତା’ପୂର୍ବରୁ ଏହି ଭେଟଘାଟ ହୋଇଛି।
ଆଜି ଥରୁରଙ୍କ ସହ ଦଳର ଅନ୍ୟ ନେତା ଦିପେନ୍ଦର ହୋଡ଼ା, ଜୟ ପ୍ରକାଶ ଅଗ୍ରୱାଲ ଓ ବିଜେନ୍ଦର ସିଂହ ୧୦ ଜନପଥରେ ପହଞ୍ଚିଥିଲେ। ପୂର୍ବରୁ ସଭାପତି ନିର୍ବାଚନ ପାଇଁ ଥରୁର ପ୍ରତିଦ୍ୱନ୍ଦିତା ଲାଗି ସଙ୍କେତ ଦେଇଥିଲେ। କିନ୍ତୁ ଏ ବିଷରେ ସେ ଖୋଲାଖୋଲି କିଛି କହି ନାହାନ୍ତି। ଥରୁର କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ଜି-୨୩ରେ ସାମିଲ ନଥିଲେ। ତଥାପି ଦଳରେ ସଂସ୍କାର ପାଇଁ ସେ ଅନେକ ସମସୟରେ ପ୍ରସ୍ତାବ ଦେଇଥିଲେ। ଗତ ମାର୍ଚ୍ଚ ମାସରେ ଥରୁର ଜି-୨୩ ଗୋଷ୍ଠୀର ନେତାଙ୍କୁ ଭେଟିଥିଲେ।