ଉତ୍ତରାଖଣ୍ଡ : କେଦାରନାଥରେ ତୁଷାରପାତ କମିବାର ନାଁ ନେଉନି । ମଙ୍ଗଳବାରଠାରୁ ଲଗାତାର ଭଗବାନ ଶିବଙ୍କ ତୀର୍ଥସ୍ଥାନରେ ତୁଷାରପାତ ଲାଗି ରହିଛି । ଯାହା ତୀର୍ଥଯାତ୍ରୀଙ୍କ ଯାତ୍ରାରେ ବାଧା ସୃଷ୍ଟି କରୁଛି । ଭଗବାନଙ୍କ ଦର୍ଶନ କରିବାକୁ ଥିବା ଭକ୍ତଙ୍କ ପାଇଁ ଏପ୍ରିଲ ୨୨ ତାରିଖରେ କେଦାରନାଥ ଦ୍ବାର ଖୋଲିବାର ଯୋଜନା ରହିଛି । ଡିସେମ୍ବର ଏବଂ ଜାନୁଆରୀ ମାସରେ ବାବା କେଦାରନାଥଙ୍କ ମନ୍ଦିର ତୁଷାରପାତମୁକ୍ତ ଥିବାବେଳେ ଏପ୍ରିଲ ମାସରେ ଅଧିକ ତୁଷାରପାତ ହେଉଛି ।
ଏହାରି ମଧ୍ୟରେ ଶ୍ରୀ ବଦ୍ରି କେଦାର ମନ୍ଦିର କମିଟି ବିନୀତ ପୋଷ୍ଟି କହିଛନ୍ତି ଯେ, ଗତ ୨୦ ଘଣ୍ଟା ଧରି ଲଗାତାର ଭାବେ ତୁଷାରପାତ ହେଉଛି । ଏଥିସହ ସେ କହିଛନ୍ତି ଯେ, ୧୯ ଏପ୍ରିଲ୍ ଅକ୍ଷୟ ତୃତୀୟାରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ । ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଏବେ ସମ୍ପୂର୍ଣ୍ଣ ଭାବେ ବରଫରେ ଘୋଡେଇ ହୋଇ ରହିଛି । ଗୋମୁଖ ଟ୍ରେକ୍ ପ୍ରାୟ ଅଧ ଫୁଟ ବରଫରେ ଆଚ୍ଛାଦିତ ହୋଇ ରହିଛି ।