ଆଉ ହେବନି ପାଓ୍ବାର୍ କଟ୍ : ୩ଟି ଗ୍ରୀଡ୍ ଓ ୮ଟି ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ
ଆଜି ଭୁବନେଶ୍ଵର ନିକଟସ୍ଥ ବାଲିଅନ୍ତାରେ ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଐତିହାସିକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ବାଲିଅନ୍ତା ସତ୍ୟନଗର ଏବଂ ଏସ୍ସିବି ମେଡ଼ିକାଲରେ ସ୍ଥାପିତ ଅତ୍ୟାଧୁନିକ ଜିଆଇଏସ୍ (Gas Insulated Substation) ଗ୍ରୀଡ ସବଷ୍ଟେସନ ଗୁଡ଼ିକର ଉଦଘାଟନ୍ କରାଯାଇଛି। ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ନବ କିଶୋର ମଲ୍ଲିକ ଏବଂ ଓପିଟିସିଏଲର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଲାସ୍କର ଶର୍ମା ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ବରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖ୍ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ ଜିଆଇଏସ୍ ଗ୍ରୀଡ୍ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ” ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ବିକାଶ ତ୍ବରାନ୍ବିତ ହେବ । ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର , ନୟାପଲ୍ଲୀ ଏବଂ ଏସସିବି ମେଡିକାଲରେ ନିର୍ମିତ ଏହି ଗୁରୁତ୍ଵପୂର୍ଣ୍ଣ ଗ୍ରୀଡ୍ ସବଷ୍ଟେସନ ଗୁଡ଼ିକ ସ୍ଥାପିତ ହୋଇଛି। ଯାହା ଭୁବନେଶ୍ବର ସହରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ସୁଦୃଢ କରିବ। ଏହା ଫଳରେ ରାଜଧାନୀ ଓ ପାଶ୍ଵବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣସ୍ତରୀୟ ବିଦ୍ୟୁତ୍ ସେବାରୁ ଲାଭାନ୍ବିତ ହେବେ।