ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ କୌଣସି ପୋଲିସ ଅଧିକାରୀ। ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ମଧ୍ୟ ରହିପାରିବେ ନାହିଁ। ଗାଦି ମଡ଼ା ଅଫିସରଙ୍କ ତାଲିକା ମାଗିଲେ ରାଜ୍ୟ ସରକାର । ରାଜ୍ୟରେ ପୁଲିସ ପ୍ରଶାସନକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।
ପୋଲିସ କର୍ମଚାରୀଙ୍କ ବାର୍ଷିକ ସ୍ଥାନାନ୍ତର ପ୍ରକ୍ରିୟାକୁ ସୁଗମ କରିବା ପାଇଁ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ବିଜ୍ଞପ୍ତି ଜାରି ହୋଇଛି। ବିଶେଷକରି ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହୁଥିବା ଅଧିକାରୀମାନଙ୍କ ତାଲିକା ମାଗାଯାଇଛି। ସରକାରଙ୍କ ବଦଳି ନୀତି ଉଲ୍ଲଂଘନ କରି ନିଜ ପଦବୀରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀମାନେ ଏବେ ଯାଞ୍ଚର ଶିକାର ହେଉଛନ୍ତି। ସମସ୍ତ ଜିଲ୍ଲାର ଏସ୍ପିମାନଙ୍କ ସହିତ କମିଶନରେଟ ପୁଲିସର ଡିସିପିମାନଙ୍କୁ ଏହି ତଥ୍ୟ ଶୀଘ୍ର ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରଙ୍କ ଏହି ନିଷ୍ପତ୍ତି ପଛରେ ମୂଳ ଉଦ୍ଦେଶ୍ୟ ହେଉଛି ପୁଲିସ୍ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି କରିବା। ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ରହିଲେ ଅନେକ ସମୟରେ ପ୍ରଭାବ, ଚାପ ଓ ଅନ୍ୟାନ୍ୟ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ଥାଏ। ଏହାକୁ ରୋକିବା ଓ ନୂତନ ଅଧିକାରୀଙ୍କ ମାଧ୍ୟମରେ ପ୍ରଶାସନରେ ନୂତନତ୍ୱ ଆଣିବାକୁ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଏହା ସହିତ, ନିୟମିତ ବଦଳି ପ୍ରଣାଳୀ ଦ୍ୱାରା ପୁଲିସ୍ ବ୍ୟବସ୍ଥାରେ ପକ୍ଷପାତ ହ୍ରାସ ପାଇବ ବୋଲି ମଧ୍ୟ ଆଶା କରାଯାଉଛି।