ମହିଳା ସଂରକ୍ଷଣ ବିଲ୍ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରେ କାଟ୍ ଖାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ୩୦ରେ ଦେଶବାସୀଙ୍କୁ ସମ୍ବୋଧନ କରି କଂଗ୍ରେସ, ଡିଏମ୍କେ, ଟିଏମ୍ସି ଓ ସମାଜବାଦୀ ପାର୍ଟି ଉପରେ ସିଧା ପ୍ରହାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ । ବିରୋଧୀ ଦଳଗୁଡ଼ିକ ନାରୀର ଆତ୍ମସମ୍ମାନ ଉପରେ ଆଘାତ ଦେଇଛନ୍ତି । ନାରୀ ସବୁ ଭୁଲି ପାରିବେ, ମାତ୍ର ଅସମ୍ମାନକୁ ଭୁଲିପାରିବେ ନାହିଁ । ବିଲ୍ କାଟ୍ ଖାଇଲା ବେଳେ ବିରୋଧୀ ଖୁସି ମନାଇବାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ମୋଦି କହିଛନ୍ତି, ୪୦ ବର୍ଷ ହେଲା ନାରୀର ହକ୍କୁ ରୋକାଯାଇଛି । କଂଗ୍ରେସ କରିଥିବା ପାପର ପ୍ରାୟଶ୍ଚିତ କରିବ, କିନ୍ତୁ ସେମାନେ ଆଞ୍ଚଳିକ ଦଳକୁ ସାଥିରେ ନେଇ ଷଡ଼ଯନ୍ତ୍ର କରିଛନ୍ତି । ପରିବାରବାଦ ପାର୍ଟିମାନେ ନାରୀ ସଶକ୍ତ ହେଲେ ନିଜର କ୍ଷତି ହେବ ବୋଲି ଭାବି ବିଲ୍କୁ ବିରୋଧ କଲେ ବୋଲି ସେ ଅଭିଯୋଗ କରିଛନ୍ତି । ସମ୍ବୋଧନ ଶେଷରେ ମୋଦି କହିଲେ, ବିରୋଧୀ ଯେଉଁ ପାପ କରିଛନ୍ତି, ତାହାର ସଜା ଭୋଗିବେ। କିନ୍ତୁ ନାରୀଶକ୍ତିକୁ ଆଗକୁ ନେବାରେ କେହି ରୋକିପାରିବେ ନାହିଁ । ବିଜେପି ଓ ଏନ୍ଡିଏର ଉଦ୍ୟମ ଜାରି ରହିବ, ଥମିବ ନାହିଁ ।