ନୂଆଦିଲ୍ଲୀ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଗୋଟିଏ ବର୍ଷ ପୂରିଛି । ଆକ୍ରମଣର ପ୍ରଥମ ବାର୍ଷିକୀରେ ଭାରତ ପହଲଗାମ ସହିଦଙ୍କୁ ଭୁଲିନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣର ଶିକାର ହୋଇଥିବା ନିର୍ଦ୍ଦୋଷ ନାଗରିକ ଓ ସହୀଦ ସୈନିକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କେବଳ ସହିଦମାନଙ୍କୁ ମନେ ପକାଇ ନାହାଁନ୍ତି ବରଂ ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ କେବେବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ।
ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀରେ ଲେଖିଛନ୍ତି, “ଗତ ବର୍ଷ ଏହି ଦିନରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ଆମେ ମନେ ପକାଉଛୁ । ସେମାନଙ୍କ ବଳିଦାନକୁ ଦେଶ କେବେ ବି ଭୁଲିବ ନାହିଁ । ଏହି ଅପୂରଣୀୟ କ୍ଷତି ସହୁଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ମୋର ସମବେଦନା ରହିଛି ।” ପ୍ରଧାନମନ୍ତ୍ରୀ ମୋଦି ଆତଙ୍କବାଦ ବିରୋଧରେ ଭାରତର ଜିରୋ ଟଲେରାନ୍ସ ବା ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଛନ୍ତି । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ରାଷ୍ଟ୍ର ଭାବରେ, ଆମେ ଏହି ଦୁଃଖ ଏବଂ ସଂକଳ୍ପର ମୁହୂର୍ତ୍ତରେ ଏକତ୍ରିତ ହୋଇ ଠିଆ ହୋଇଛୁ । ଭାରତ କେବେବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ । ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ସଫଳ ହେବ ନାହିଁ ।
ସୂଚନାଯୋଗ୍ୟ ଯେ, ୨୦୨୫ ମସିହା ଏପ୍ରିଲ୍ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀମାନେ ଏକ ଭୟଙ୍କର ଆକ୍ରମଣ କରିଥିଲେ । ଏହି ଘଟଣାରେ ୨୬ ଜଣ ନୀରିହ ପର୍ଯ୍ୟଟକ ଓ ସାଧାରଣ ନାଗରିକ ନିଜର ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଉପତ୍ୟକାରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇ ଆତଙ୍କବାଦ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିଲା । ପ୍ରଥମ ଶ୍ରାଦ୍ଧ ବାର୍ଷିକୀକୁ ଦୃଷ୍ଟିରେ ରଖି ବୈସାରନ ଘାଟି ସମେତ ସମଗ୍ର ପହଲଗାମ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ବାହିନୀ ପ୍ରତ୍ୟେକ ପ୍ରବେଶ ପଥରେ ଯାଞ୍ଚ ପ୍ରକ୍ରିୟାକୁ କଠୋର କରିଛନ୍ତି ।