ବିଜୟଙ୍କ ‘ଜନ ନୟାଗନ’କୁ ନେଇ ବଢ଼ିଲା ଉତ୍ସାହ, ଜୁନ୍ ୨୨ରେ ରିଲିଜ୍ ସମ୍ଭାବନା
ଭୁବନେଶ୍ବର: ତାମିଲନାଡୁ ନିର୍ବାଚନରେ ବିଜୟ ପରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଏହା ମଧ୍ୟରେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନୟାଗନ’ ପୁଣିଥରେ ଚର୍ଚ୍ଚାରେ ଆସିଛି। ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ବିଜୟଙ୍କ ଜନ୍ମଦିନ ଅବସରରେ ଆସନ୍ତା ଜୁନ୍ ୨୨ ତାରିଖରେ ‘ଜନ ନାୟକନ’କୁ ପରଦାକୁ ଆଣିବାକୁ ଯୋଜନା କରୁଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଏଚ୍. ବିନୋଦଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ ଏବଂ ଗୌତମ ବାସୁଦେବ ମେନନ ଭଳି ଚର୍ଚ୍ଚିତ ତାରକାମାନେ ନଜର ଆସିବେ। ବିଶେଷ କଥା ହେଲା, ଏହାକୁ ବିଜୟଙ୍କ ଶେଷ ଚଳଚ୍ଚିତ୍ର ବୋଲି କୁହାଯାଉଥିବାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଗ୍ରହ ଆହୁରି ବଢ଼ିଛି।ନିର୍ମାତାମାନଙ୍କ କହିବା ଅନୁସାରେ, ‘ଜନ ନାୟକନ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ତାମିଲନାଡୁର ନୂଆ ରାଜନୈତିକ ଚିନ୍ତାଧାରା ଓ ପରିବର୍ତ୍ତନର ପ୍ରତୀକ ପାଲଟିଛି। ବର୍ତ୍ତମାନ ବିଜୟ ତାଙ୍କର ରାଜନୈତିକ ଦାୟିତ୍ୱ ଉପରେ ଧ୍ୟାନ ଦେଉଥିବାରୁ ନିର୍ମାତାମାନେ ଖୁବ୍ ଶୀଘ୍ର ତାଙ୍କ ସହ ଭେଟି ରିଲିଜ୍ ତାରିଖ ନେଇ ଆଲୋଚନା କରିବେ।
ଅନ୍ୟପଟେ, ଏପ୍ରିଲ୍ ମାସରେ ଫିଲ୍ମର ଏକ HD ଭର୍ସନ ଅନଲାଇନରେ ଲିକ୍ ହୋଇଥିବା ଘଟଣା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଚମକି ଦେଇଥିଲା। ପରେ ପୋଲିସ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା ଏବଂ ତଦନ୍ତ ଜାରି ରହିଛି।