ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ କନ୍‌ସୁଲ ଜେନେରାଲ, ଓଡ଼ିଶା-ଜାପାନ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା

0

କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଜାପାନ ଓଡ଼ିଶାରେ ଅଧିକ ନିବେଶ କରିବା ସହିତ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କନସୁଲ ଜେନେରାଲ୍ ମିଷ୍ଟର ଇସିକାୱା ଉଭୟ ଜାପାନ ଓ ଓଡ଼ିଶା ମଧ୍ୟରେ ଥିବା ଐତିହାସିକ କଳା, ଐତିହ୍ୟ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡ଼ିଶା ମଧ୍ୟରେ ସହଭାଗୀତା ହେବ । ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍ସ’ ଭାବରେ କାର୍ଯ୍ୟ କରିବେ । ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ଡେଲିଗେସନ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ । ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ ।

Leave A Reply

Your email address will not be published.