ରଜରେ ପରଦାକୁ ଆସୁଛି ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’, ରିଲିଜ ହେଲା ନୂଆ ପୋଷ୍ଟର

0

ଚଳିତ ରଜରେ ଓଲିଉଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଭିନେତା ଅର୍ଦ୍ଧେନ୍ଦୁ । ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଡାଏରୀ’ ସହ ସେ ପୁଣିଥରେ ଦର୍ଶକଙ୍କ ମନ ଜିତିବାକୁ ଆସୁଛନ୍ତି । ନିକଟରେ ଫିଲ୍ମର ଘୋଷଣା ଏବଂ ପ୍ରଥମ ଝଲକ ରିଲିଜ ହୋଇଥିବାବେଳେ, ଏବେ ଫିଲ୍ମର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ଏହି ପୋଷ୍ଟରରେ ଅଭିନେତ୍ରୀ ଜସ୍ମିନ୍ ଙ୍କ ଝଲକ ଦେଖିବାକୁ ମିଳିଛି । ପୋଷ୍ଟରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଅର୍ଦ୍ଧେନ୍ଦୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ନୂଆ ପୋଷ୍ଟର ଶେୟାର କରି କ୍ୟାପସନରେ ଲେଖିଛନ୍ତି, “ଡାଏରୀ କେବଳ କାଗଜ ଏବଂ କାଳି ନୁହେଁ… କେତେବେଳେ ଏହା ଏକ ହୃଦୟ ବହନ କରେ, ଯାହା କେବେ ଆଗକୁ ବଢ଼େନାହିଁ ।” ପୋଷ୍ଟରରେ ଅର୍ଦ୍ଧେନ୍ଦୁ ଓ ଜସ୍ମିନ ଡାଏରୀ ଧରି ପରସ୍ପରକୁ ଚାହୁଁଥିବା ଦେଖିବାକୁ ମିଳିଛି । ଫିଲ୍ମରେ ଜସ୍ମିନ ମୁଖ୍ୟ ନାୟିକା ଭାବେ ନଜର ଆସିବେ ।

ପୂର୍ବରୁ ଫିଲ୍ମର ପ୍ରଥମ ଝଲକ ମଧ୍ୟ ରିଲିଜ ହୋଇଥିଲା ।୧ ମିନିଟ ୩୩ ସେକେଣ୍ଡର ଭିଡିଓରେ ଏକ ଘର, ଏକ ବାକ୍ସ ଓ ତାହା ଭିତରେ ଥିବା ଡାଏରୀକୁ ଦେଖାଯାଇଥିଲା । ଡାଏରୀର ପ୍ରଥମ ପୃଷ୍ଠାରେ ଅର୍ଦ୍ଧେନ୍ଦୁଙ୍କ ଫଟୋ ସହ “ମୋ ଠୁ ମୋ ଯାଏଁ…” ଲେଖା ଥିବାବେଳେ, ସେଠାରୁ ଆରମ୍ଭ ହୁଏ କାହାଣୀ । ଭିଡିଓର ଶେଷରେ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଥିଲା । ଫିଲ୍ମଟି ଚଳିତ ରଜରେ ରିଲିଜ ହେବାକୁ ଯାଉଛି ।

ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ଅଟନ୍ତି ଅର୍ଦ୍ଧେନ୍ଦୁ ସାହୁ ଓ ସହ-ପ୍ରଯୋଜକ ଅଟନ୍ତି ଆଦିକନ୍ଦ ସାହୁ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । କାହାଣୀ, ସ୍କ୍ରିନପ୍ଲେ ଓ ସଂଳାପ ଲେଖିଛନ୍ତି କୁନା ତ୍ରିପାଠୀ। ସଙ୍ଗୀତ ସଜାଇଛନ୍ତି ସୋମେଶ ଶତପଥୀ । ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କ ସହ ପ୍ରଜ୍ଞା ମଧ୍ୟ ନଜର ଆସିବେ ।

Leave A Reply

Your email address will not be published.