ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ପାଇଁ ଡାଇରେକ୍ଟର୍ସ ଆସୋସିଏସନ ଏବଂ ଓଡିଶା ପ୍ରଡ୍ୟୁସରର୍ସ ଗିଲ୍ଟ ପକ୍ଷରୁ ଦାବୀ*

0

 

୨୪ ମଇ ୨୦୨୬ ତାରିଖ ରବିବାର ଦିନ ଭୁବନେଶ୍ୱରର ଉପେନ୍ଦ୍ର ହୋଟେଲ ଠାରେ ଅଲ ଓଡ଼ିଶା ଫିଲ୍ମ ଡ଼ାଇରେକ୍ଟର୍ସ ଆସୋସିଏସନ ଓ ଓଡ଼ିଶା ପ୍ରୋଡ଼ୁସର୍ସ ଗିଲ୍ଡ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଉଭୟ ସଂଗଠନ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ୱାର୍ଥ ଓ ସୁରକ୍ଷା ନେଇ ଏକ ସ୍ୱରରେ ନିଜ ମନୋଭାବ ପ୍ରକଟ କରିଥିଲେ ।

ଏହି ସମ୍ମିଳନୀରେ ଦୁଇ ସଂଗଠନ ଓଡ଼ିଶା ଫିଲ୍ମ ଡ଼େଭଲପ୍‌ମେଣ୍ଟ କର୍ପୋରେସନ (OFDC) ର କାର୍ଯ୍ୟ ଶୈଳୀ ଓ କଳିଙ୍ଗ ଷ୍ଟୁଡ଼ିଓ ନବୀକରଣ ପ୍ରସଙ୍ଗରେ ଗଭୀର ଅସନ୍ତୋଷ ଓ ଉଦ୍‌ବେଗ ପ୍ରକାଶ କଲେ। ନିର୍ଦ୍ଦେଶକ ଓ ନିର୍ମାତା ସଂଗଠନ ଏ ବିଷୟରେ ଦୀର୍ଘ ଦିନ ଧରି ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ଜଣାଇଲେ ଏବଂ ଏ ସ୍ଥିତିର ତ୍ୱରିତ ସମାଧାନ ଆବଶ୍ୟକ ବୋଲି ଜୋର ଦେଇ ଦାବି ଉଠାଇଲେ।

ଉଭୟ ସଂଗଠନ ଏକ ମତ ହୋଇ ଦାବି ଜଣାଇଲେ ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅବିଳମ୍ବ ହସ୍ତକ୍ଷେପ କରନ୍ତୁ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କୁ ଅନ୍ତର୍ଭୁକ୍ତ କରି ଏକ ସ୍ଥାୟୀ ଉନ୍ନୟନ କମିଟି ଗଠନ କରନ୍ତୁ।

ସଭ୍ୟମାନଙ୍କ ମତରେ, ଚଳଚ୍ଚିତ୍ର ଶିଳ୍ପର ପ୍ରକୃତ ଅଂଶୀଦାର — ଯଥା ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମତାମତ ବ୍ୟତୀତ ଯେ କୌଣସି ଯୋଜନା ଅସମ୍ପୂର୍ଣ୍ଣ। ଓଡ଼ିଆ ଚଳଚ୍ଚିତ୍ରର ଐତିହ୍ୟ ଓ ଭବିଷ୍ୟତ ସୁରକ୍ଷା ପ୍ରତି ସରକାରଙ୍କ ସଚ୍ଚା ଆଗ୍ରହ ଏବଂ ପ୍ରଭାବଶାଳୀ ପଦକ୍ଷେପ ନ ଘଟିଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆହୁରି ଅଧଃପତନ ହୋଇ ପଡ଼ିବ ବୋଲି ଆଶଙ୍କା ପ୍ରକଟ ହେଲା।

ପ୍ରମୁଖ ଅସୁବିଧା ଗୁଡିକ ହେଲା

୧. ଅତି କମରେ ସବୁ ବ୍ଲକରେ ୧୦୦ସିଟ୍ ବିଶିଷ୍ଟ ଛୋଟ ଛୋଟ ସିନେମା ହଲ ନିର୍ମାଣ କରିବା

୨. OFDC ବିଲ୍ଡିଂରେ ସିନେମା ହଲ (ମଲ୍ଟିପ୍ଲେକ୍ସ) ପାଇଁ ଆସିଥିବା ୧୦ କୋଟି ଟଙ୍କା କାହିଁକି ଅଟକିଛି ?

୩. ୨୦୦୭ ରୁ ବାକିଥିବା ପ୍ରଯୋଜକ ଙ୍କ ₹୩,୫୦,୦୦୦ ସବସିଡ଼ି ତୁରନ୍ତ ପ୍ରଦାନ କରିବା

୪. ନୂଆ ସିନେମା ପଲିସି ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ପରାମର୍ଶରେ ତିଆରି କରି ତୁରନ୍ତ ଲାଗୁ କରିବା

୫. କଳିଙ୍ଗ ଷ୍ଟୁଡ଼ିଓ ରକ୍ଷଣା ବେକ୍ଷଣା ପାଇଁ ଯେଉଁ ୭ କୋଟି ଟଙ୍କା ନିର୍ଧାରିତ ହୋଇଛି ତାକୁ ପୁନଃ ସମୀକ୍ଷା କରିବା । ଦେଖାଯାଇଛି ପ୍ରତ୍ୟେକ୍ଷ ନିଯୁକ୍ତି ୨୦ ଜଣଙ୍କୁ ଦିଆଯାଇ ୨ବର୍ଷରେ ହାରାହାରି ୬୦ ଲକ୍ଷ ଖର୍ଚ୍ଚ ହେବ ତେବେ ୭ କୋଟି କେଉଁଥି ପାଇଁ?

ଉଭୟ ସଂଗଠନ ଏହି ଦାବି ପ୍ରତି ସର୍ବସମ୍ମତ ଭାବରେ ଏକ ସ୍ୱର ପ୍ରଦଶ୍ୟ କଲେ ଏବଂ ଆଶା ରଖିଲେ ଯେ ରାଜ୍ୟ ସରକାର ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଏକ ନୂଆ ଦିଗ ଦେଖାଇବେ।

Leave A Reply

Your email address will not be published.