ଡିଜିଟାଲାଇଜେସନ ଦେଶରେ ନୂତନ ସୁଯୋଗ ସୃଷ୍ଟି କରୁଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ (ଆମ ଟିଭି): ସାରା ଦେଶ ଏବେ ଡିଜିଟାଲ ଆଡ଼କୁ ଗତି କରୁଛି। ଲାଇଫଷ୍ଟାଇଲ ଏକ ନୂଆ ରୂପ ନେଉଛି । ୫ଜି, ଡିଜିଟାଲ ପେମେଣ୍ଟ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଦେଶରେ ଡିଜିଟାଲାଇଜେସନ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ସୁଯୋଗ ପ୍ରଦାନ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଅନ୍ତର୍ଜାତୀୟକରଣ’ ଶୀର୍ଷକ ଅନ୍ତର୍ଜାତୀୟ କନକ୍ଲେଭ ଓ ଫିକି ସ୍କିଲ ଡିଭିଜନ ପକ୍ଷରୁ ଆୟୋଜିତ ୧୩ତମ ବିଶ୍ୱ ଦକ୍ଷତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ଦେଶରେ ଡ଼ିଜିଟାଲ କ୍ଷେତ୍ରର ରୂପରେଖ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି । ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜିର କାର୍ଯ୍ୟକାରୀତା ସହ ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ୱରେ ଅଗ୍ରଣୀ ଦେଶ ଭାବେ ଉଭା ହେଉଛି । ସେହିପରି ଆଗାମୀ ଦିନରେ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ପ୍ରତ୍ୟେକ ଗାଁକୁ ହାଇସ୍ପିଡ୍ ଇଣ୍ଟରନେଟ ସହ ସଂଯୋଗ କରାଯିବ । ଏହା ଦ୍ୱାରା ଭାରତର ଡିଜିଟାଲାଇଜେସନ ବିଭିନ୍ନ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାରକୁ ଗତି ଦେବା ସହ ଡ଼େମୋଗ୍ରାଫିକ ଡିଭିଡେଣ୍ଡର ଲାଭ ନେବା ଓ ଦକ୍ଷତା ପରିସଂସ୍ଥାନକୁ ଜୀବନ୍ତ କରିବା ଉପରେ ମତ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ଡେମୋଗ୍ରାଫିକ ଡିଭିଡେଣ୍ଡକୁ ଏକ ପରବର୍ତ୍ତନର ଶକ୍ତିକେନ୍ଦ୍ର ଭାବେ ପରିଣତ କରିବାରେ ଶିକ୍ଷା ଏବଂ ଦକ୍ଷତା ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Leave A Reply

Your email address will not be published.