ଲକ୍ଷ୍ମୀ ବସ୍‌ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର, ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ

0

ଲକ୍ଷ୍ମୀ ବସ୍‌ ଯୋଜନାର ଖୋଳତାଡ଼ । ଲକ୍ଷ୍ମୀ ବସ୍‌ ଓ ଆମ ବସ୍‌ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର । ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ । ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ । ବାଣିଜ୍ୟ ଓ ପରିବହନ ବିଭାଗକୁ ମଗାଗଲା ସ୍ପଷ୍ଟୀକରଣ । ଯୋଜନାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍ ।

ଗତ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା LAccMI ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବସ୍‌ ସେବା (MBS) ଏବଂ ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ଅର୍ଥ ବ୍ୟୟ ଏବଂ ପ୍ରଶାସନିକ ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି ଅକାଉଣ୍ଟାଣ୍ଟ ଜେନେରାଲ୍‌ (ଅଡିଟ୍‌-୨), ଓଡ଼ିଶା। ବାଣିଜ୍ୟ ଓ ପରିବହନ ବିଭାଗକୁ ପଠାଯାଇଥିବା ଏକାଧିକ ଅଡିଟ୍‌ objection ପତ୍ରରେ ଯୋଜନାର ଅର୍ଥ ମୁକ୍ତି, ୟୁଟିଲାଇଜେସନ୍‌ ସର୍ଟିଫିକେଟ୍‌ (UC), ଅବ୍ୟବହୃତ ପାଣ୍ଠି, ପରାମର୍ଶଦାତା ନିଯୁକ୍ତି ଓ ମାଗଣା ବସ୍‌ ଯାତ୍ରା ପରି ବିଷୟରେ ଵିଭାଗ ପାଖରୁ ସ୍ପଷ୍ଟୀକରଣ ମଗାଯାଇଛି। ଫଳର ବର୍ତ୍ତମାନ ବିଭାଗ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି।

 

ଅଡିଟ୍‌ ପକ୍ଷରୁ ଉଠାଯାଇଥିବା ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ୨୦୨୩-୨୪ ଠାରୁ ୨୦୨୫-୨୬ ମଧ୍ୟରେ LAccMI/MBS ଯୋଜନା ପାଇଁ ମୋଟ ୨୮୦୬ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବା ବେଳେ ତାହାର ବଡ଼ ଅଂଶ ବର୍ଷ ଶେଷ ପର୍ଯ୍ୟନ୍ତ ବ୍ୟୟ ହୋଇନଥିଲା। ଅଡିଟ୍‌ ତଥ୍ୟ ଅନୁସାରେ, ୨୦୨୩-୨୪ରେ ୧୫୩.୫୬ କୋଟି, ୨୦୨୪-୨୫ରେ ୩୬୯.୧୮ କୋଟି ଓ ୨୦୨୫-୨୬ରେ ୪୭୮.୩୬ କୋଟି ଟଙ୍କା ଅବ୍ୟବହୃତ ରହିଥିଲା। ଏହି ଅର୍ଥ କାହିଁକି ବ୍ୟୟ ହୋଇପାରିଲା ନାହିଁ ଓ ପୂର୍ବରୁ ପ୍ରଦାନ କରାଯାଇଥିବା ଅର୍ଥ ବ୍ୟବହାର ନହେବା ସତ୍ତ୍ୱେ ପୁଣି କିପରି ଅଧିକ ଅର୍ଥ ପ୍ରଦାନ କରାଯାଇଛି, ସେନେଇ ବିଭାଗରୁ ସ୍ପଷ୍ଟୀକରଣ ମଗା ଯାଇଛି।

ଅଡିଟ୍‌ ରିପୋର୍ଟରେ ଓଏସଆରଟିସି (OSRTC) ଦ୍ୱାରା ନିର୍ଦ୍ଧିଷ୍ଟ ସମୟ ବ୍ୟୟ ବିବରଣୀ ଓ ୟୁସି ଦାଖଲ ନକରାଯାଇଥିବା କଥା ମଧ୍ୟ ଉଠାଯାଇଛି। ବିଶେଷକରି ୨୦୨୪-୨୫ର ତୃତୀୟ ତ୍ରୟମାସିକ ପରଠାରୁ ଖର୍ଚ୍ଚ ବିବରଣୀ ଦିଆଯାଇନଥିବା ନେଇ ଅଡିଟ୍‌ ଆପତ୍ତି ଜଣାଇଛି। ବର୍ଷ ଅନୁସାରେ ଅର୍ଥ ପ୍ରଦାନ ଓ ୟୁସି ପ୍ରାପ୍ତିର ସମସ୍ତ ତଥ୍ୟ ମାଗାଯାଇଛି।

DIMTS ନିଯୁକ୍ତି ନେଇ ମଧ୍ୟ ସନ୍ଦେହ

LAccMI ଯୋଜନା ପାଇଁ ପରାମର୍ଶଦାତା ଭାବେ ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟିମୋଡାଲ୍‌ ଟ୍ରାନ୍ସିଟ୍‌ ସିଷ୍ଟମ୍‌ (DIMTS) କୁ ନିଯୁକ୍ତି ଦେବା ପ୍ରକ୍ରିୟା ଉପରେ ମଧ୍ୟ ଅଡିଟ୍‌ ପ୍ରଶ୍ନ ଉଠାଇଛି। ୨୦୨୩ ଅକ୍ଟୋବରରେ ଛଅ ମାସ ପାଇଁ ପ୍ରତିମାସ ୨.୧୪ କୋଟି ଟଙ୍କା ଫି’ରେ DIMTS କୁ ନିଯୁକ୍ତ କରାଯାଇଥିଲା ଓ ପରେ ଏହାକୁ ଆଉ ଛଅ ମାସ ବଢ଼ାଯାଇଥିଲା। ଅଡିଟ୍‌ ପକ୍ଷରୁ ପଚାରାଯାଇଛି ଯେ, DIMTS ଚୟନ ପୂର୍ବରୁ କୌଣସି ଇଓଆଇ (EOI) କିମ୍ବା ବଜାର ସର୍ଭେ କରାଯାଇଥିଲା କି ନାହିଁ। ସେହିପରି କମ୍ପାନୀର କାର୍ଯ୍ୟଦକ୍ଷତା ଆଲୋଚନା ରିପୋର୍ଟ ଓ ନିଯୁକ୍ତ ପରାମର୍ଶଦାତାଙ୍କ ଯୋଗ୍ୟତା ବିବରଣୀ ମଧ୍ୟ ମାଗାଯାଇଛି।

Leave A Reply

Your email address will not be published.