ଭୁବନେଶ୍ୱର : ୟୁଟ୍ୟୁବର ରାହୁଲ ମହାରଣା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ରାହୁଲଙ୍କ ପରିବାରଙ୍କ ସନ୍ଦେହରେ ଥିଲେ ତ୍ରିଷ୍ଣା । ଏବେ ତ୍ରିଷ୍ଣା ଖୋଲିଛନ୍ତି ରହସ୍ୟର ପେଡ଼ି । ରାହୁଲଙ୍କ ହତ୍ୟା ପଛରେ ତାଙ୍କ ଭେଣେଇ ବିକାଶଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତ୍ରିଷ୍ଣା ଏହାସହ ଚାରିଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ରଖି ନିଜ ସନ୍ଦେହର କାରଣ ମଧ୍ୟ ବଖାଣିଛନ୍ତି ତ୍ରିଷ୍ଣା । ଗୋଟିଏ ପଟେ ରାହୁଲଙ୍କ ପରିବାର ତ୍ରିଷ୍ଣାଙ୍କୁ ହତ୍ୟା ଷଡଯନ୍ତ୍ରର କେନ୍ଦ୍ରବିନ୍ଦୁ ସଂନ୍ଦେହ ବୋଲି ଅଭିଯୋଗ କରୁଥିବା ବେଳେ, ଅନ୍ୟପଟେ ତ୍ରିଷ୍ଣା କହୁଛନ୍ତି ହତ୍ୟାକାଣ୍ଡର ସୂତ୍ର ଲୁଚିଛି ପରିବାର ଭିତରେ । ଥାନାରେ ତାଙ୍କୁ ମାରିଦେବା ଭଳି ଧମକ ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।
ତେବେ ରାହୁଲ ହତ୍ୟାକାଣ୍ଡର ଅସଲ କାହାଣୀ କଣ? କିଏ କହୁଛି ସତ? ଆଉ କିଏ ଲୁଚାଉଛି ତଥ୍ୟ? ଏହାରି ଭିତରେ ଆଉ ଏକ ବଡ଼ ପ୍ରସଙ୍ଗ ହେଉଛି ତ୍ରିଷ୍ଣାଙ୍କ ନାମରେ ଉଠିଥିବା ଲଭ୍ ଆଫେୟାର ଅଭିଯୋଗ । ରାହୁଲଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରୁ ଆରମ୍ଭ କରି ସାଧାରଣ ଚର୍ଚ୍ଚାରେ ଏହି ଅଭିଯୋଗକୁ ନେଇ ଚାଲିଛି ତୁମୁଳ ବିତର୍କ । ତ୍ରିଷ୍ଣା ଏହାର ଉତ୍ତର ଦେଇ କହିଛନ୍ତି, ରାହୁଲଙ୍କୁ ବିବାହ କରିବା ପୂର୍ବରୁ ସେ ରାହୁଲଙ୍କ ପରିବାରକୁ ବହୁଥର ଆର୍ଥିକ ସହାୟତା କରିଥିଲେ । କିନ୍ତୁ ସେହି ଟଙ୍କା କେଉଁଠୁ ଆସୁଥିଲା? କାହିଁକି ଦିଆଯାଉଥିଲା? ଏବେ ସେହି ପ୍ରଶ୍ନ ମଧ୍ୟ ଚର୍ଚ୍ଚାରେ । ରାହୁଲଙ୍କ ମୃତ୍ୟୁ ପରେ ତ୍ରିଷ୍ଣାଙ୍କ ବ୍ୟକ୍ତିଗତ ଜୀବନ, ବାହାଘର, ପ୍ରେମ ସମ୍ପର୍କ, ଭବିଷ୍ୟତ ଯୋଜନା ଓ ହତ୍ୟା ପଛରେ ଥିବା ଷଡଯନ୍ତ୍ରକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତ୍ରିଷ୍ଣା । ଫେବୃଆରୀ ୨୮ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଜିପି କଲୋନୀ ପଡ଼ିଆ ନିକଟରେ ୩୨ ବର୍ଷୀୟ ୟୁଟ୍ୟୁବର ତଥା ଗ୍ୟାସ ବ୍ୟବସାୟୀ ରାହୁଲ ମହାରଣାଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିଲା ।