ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ଏହି ଦଳର ସାଂସଦ ଓ ବିଧାୟକମାନେ ବିଦ୍ରୋହ କରିଛନ୍ତି। ଏକାଧିକ ନେତା ଦଳ ଛାଡ଼ିବାକୁ ଯୋଜନା କରୁଥିବା ବେଳେ ବରିଷ୍ଠ ନେତା ସୁଦୀପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଦୀପ୍ଙ୍କ ସହ ତୃଣମୂଳ କଂଗ୍ରେସର ଅନ୍ୟତମ ସାଂସଦ ଶତାବ୍ଦୀ ରାୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିବା ଜଣାପଡ଼ିଛି।
ସୁଦୀପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ତୃଣମୂଳ କଂଗ୍ରେସ ବିଧାୟକ କୁନାଲ ଘୋଷ କହିଥିଲେ ଦଳବଦଳ କରିବା ସୁଦୀପ୍ଙ୍କ ପୁରୁଣା ଅଭ୍ୟାସ। ମମତା ବାନାର୍ଜୀ ସୁଦୀପ୍ଙ୍କ ସହ ଅନ୍ୟ ନେତାଙ୍କୁ ସାଂସଦ, ବିଧାୟକ ଆଦି କରିଥିଲେ। ତେବେ ବିଧାନସଭାରେ ଦଳର ପରାଜୟ ପରେ ସେମାନେ ନିଜ ଅସଲି ରୂପ ଦେଖାଇଛନ୍ତି। ଏଭଳି ବ୍ୟକ୍ତିଙ୍କ ଠାରୁ ଅଧିକ କିଛି ଆଶା କରିବା ନିରର୍ଥକ। ସୂଚନାଥାଉ କି ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନେ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।