କେନ୍ଦୁଝର ଦେଓଗାଁରେ ଶିଶୁ ନାଟ୍ୟ କର୍ମଶାଳାର ଉଦ୍‌ଯାପନ

ମଞ୍ଚସ୍ଥ ହେଲା ନାଟକ "ମୋ ସାଙ୍ଗ"

0

ଦୀର୍ଘ ଏକ ମାସ ଧରି ଚାଲିଥିବା ଶିଶୁ ନାଟ୍ୟ କର୍ମଶାଳା ୧୭ ଜୁନରେ ଦେଓଗାଁଠାରେ ଏକ ଆକର୍ଷଣୀୟ ଓ ସୁନ୍ଦର କାର୍ଯ୍ୟକ୍ରମ ସହ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଭବ୍ୟ ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ସମରେଶ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି.ଏମ୍. ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ କୁମାର ପଣ୍ଡା ଏବଂ ସୈନିକ ସଂଘର ସଭାପତି ଶ୍ରୀଯୁକ୍ତ ତ୍ରିଲୋଚନ ଦାଶ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ର ରେଜିଷ୍ଟ୍ରାର ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। କେନ୍ଦୁଝର ଭଳି ସ୍ଥାନରେ ଏଭଳି ଏକ ଉଚ୍ଚକୋଟୀର କର୍ମଶାଳା ଆୟୋଜନ କରିଥିବାରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସାଂସଦ ଶ୍ରୀ ଅନନ୍ତ ନାୟକ ସଂସ୍କୃତି ମନ୍ତ୍ରାଳୟ ଏବଂ ଜାତୀୟ ନାଟ୍ୟ ବିଦ୍ୟାଳୟ (NSD)ର ଏହି ପ୍ରଶଂସନୀୟ ପ୍ରୟାସକୁ ବେଶ୍ ସାଧୁବାଦ ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବିଶିଷ୍ଟ ଅଭିନେତା ଶ୍ରୀ ସମରେଶ ରାଉତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ ଏକ ସୁସ୍ଥ, ସୁନ୍ଦର ଓ ଆଦର୍ଶ ସମାଜ ଗଠନ ଦିଗରେ ନାଟକର ଏକ ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଭାକାର୍ଯ୍ୟ ଶେଷ ହେବା ପରେ କର୍ମଶାଳାରେ ଭାଗ ନେଇଥିବା ଛୋଟ ଛୋଟ ଶିଶୁ କଳାକାରମାନଙ୍କ ଦ୍ୱାରା ଏକ ଅତି ସୁନ୍ଦର ଆକର୍ଷଣୀୟ ନାଟକ “ମୋ ସାଙ୍ଗ” ମଞ୍ଚସ୍ଥ ହୋଇଥିଲା। କୁନି କୁନି ପିଲାଙ୍କ ଜୀବନ୍ତ ଅଭିନୟ ଏବଂ ନିଖୁଣ ଶୈଳୀ ସେଠାରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା।

Leave A Reply

Your email address will not be published.