ନୂଆଦିଲ୍ଲୀ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ପାକିସ୍ତାନ ଏୟାରଷ୍ଟ୍ରାଇକର ମୁହଁତୋଡ଼ ଜବାବ ଦେଇଛି ଆଫଗାନିସ୍ତାନ । ପରିସ୍ଥିତି ଅଧିକ ସଙ୍ଗୀନ ହେବାକୁ ଲାଗିଲାଣି । ପୂର୍ବରୁ ଲଗାତାର ଭାବେ ଆଫଗାନିସ୍ତାନ ମଧ୍ୟରେ ପଶି ପାକ୍ ଏୟାରଷ୍ଟ୍ରାଇକ୍ କରିଛି । ନୀରିହମାନଙ୍କୁ ହତ୍ୟା କରିଛି । ଯାହାର ଜବାବ ତାଲିବାନ ପକ୍ଷରୁ ଦିଆଯାଇଛି ।
ତାଲିବାନ ସରକାର ପାକ୍ ସୀମାରେ ପଶି ଆଇଏସଆଇଏସର ଅନେକ ଆଡ୍ଡା ଉପରେ ଷ୍ଟ୍ରାଇକ୍ କରିଥିବା ଦାବି କରିଛି । ତାଲିବାନର କହିବାନୁସାରେ, ପାକିସ୍ତାନ ସୀମାରେ ଆଇଏସଆଇଏସର ଅନେକ କ୍ୟାମ୍ପ୍ ରହିଛି । ଏଠାରେ ଆଫଗାନିସ୍ତାନ ଉପରେ ଆକ୍ରମଣ ନେଇ ଷଡଯନ୍ତ୍ର ରଚନା କରାଯାଉଥିଲା । ବେଲୁଚିସ୍ତାନ ଏବଂ ଖୈବର ପଖତୁନଖ୍ୱା ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ ହୋଇଛି ।
ଆଫଗାନିସ୍ତାନର ଡ୍ରୋନ୍ ଆଇଏସଆଇଏସ କ୍ୟାମ୍ପକୁ ଟାର୍ଗେଟ୍ କରିଛି । ଏଥିରେ ଆଇଏସଆଇଏସର ଅନେକ ଆତଙ୍କବାଦୀ ଲୁଚି ରହିଥିଲେ । ଏଥିରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏକ ସ୍କୁଲରେ ସେମାନେ ଲୁଚି ରହିଥିଲେ । ଏଥିରେ କୌଣସି ସାଧାରଣ ନାଗରିକଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ ।
ସୂଚନାଯୋଗ୍ୟ, ତାଲିବାନର ଏହି ଆକ୍ରମଣ ପାକିସ୍ତାନର ଏୟାରଷ୍ଟ୍ରାଇକର ପାଲଟା ଜବାବ । ଦୁଇ ଦିନ ତଳେ ପାକ୍ ସେନା ଆଫଗାନିସ୍ତାନରେ ପଶି ବୋମା ବିସ୍ଫୋରଣ କରିଥିଲା । ଏଥିରେ ୨୮ ଜଣ ନୀରିହ ପ୍ରାଣ ହରାଇଥିଲେ । ଘଟଣାରେ ଆଫଗାନ୍ ଚୁପ୍ ବସିବ ନାହିଁ ବୋଲି ତାଲିବାନ ମୁଖପାତ୍ର କହିଥିଲେ ।