ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି

0

ପୁରୀ: ଜ୍ବରରେ ପୀଡ଼ିତ ମହାପ୍ରଭୁଙ୍କୁ ଶନିବାର ଫୁଲୁରି ତେଲ ଲାଗି କରାଯିବ। ଏହି ଫୁଲରି ତେଲ ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଇଥାଏ। ପ୍ରତ୍ୟେକବର୍ଷ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶି ତେଲରେ ୧୪ପ୍ରକାର ଫୁଲ, ୭ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ମାଟିପାତ୍ରରେ ରଖି ମାଟିତଳେ ପୋତା ଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବ ଦିନ ମାଟି ତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ଅଣସର ପଞ୍ଚମୀ ଦିନ ତେଲକୁ ଛଣାଯାଇ ସେଥିରେ ବିଭିନ୍ନ ପ୍ରକାର ସୁଗନ୍ଧୀୟ ଦ୍ରବ୍ୟ ଓ ଫୁଲ ପକାଯାଇ ଫୁଲୁରି ତେଲ ପ୍ରସ୍ତୁତ ହୋଇଥାଏ। ବଡ଼ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କୁ ଲାଗି ପାଇଁ ଏହି ତେଲ ପଠାଯାଇଥାଏ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ ଅପରାହ୍‌ଣରେ ମଠରୁ ହାଣ୍ଡିରେ ୬ସେର ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିଥାଏ। ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଅଣସର ଘର ଦ୍ୱାର ବା ବେହେରଣ ଦ୍ୱାର ଖୋଲାଯିବ। ପରେ ଅଣସର ନୀତି ଆରମ୍ଭ ହେବ। ପତିମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରି ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବେ। ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରେ ଫୁଲୁରି ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଫୁଲୁରି ତେଲ ଲାଗି ହେବା ପରେ ଶ୍ରୀବିଗ୍ରହମାନେ କିଛିଟା ସୁସ୍ଥ ଅନୁଭବ କରିଥା’ନ୍ତି। ଅପରପକ୍ଷେ, ଆଜି ଅଣସରର ଚତୁର୍ଥ ଦିନରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଫିଟା ନୀତି କରିଛନ୍ତି। ଶ୍ରୀଅଙ୍ଗଫିଟା ନୀତି ମହାପ୍ରଭୁଙ୍କ ଏକ ଗୁପ୍ତନୀତି।

Leave A Reply

Your email address will not be published.