ନୂଆଦିଲ୍ଲୀ : ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତିକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ସମ୍ପର୍କରେ ଏକ ଚୂଡ଼ାନ୍ତ ଓ ସ୍ପଷ୍ଟ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଯଦି ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ରାଜ୍ୟ ସରକାର ଏହି ପ୍ରକ୍ରିୟା ଶେଷ ନକରନ୍ତି, ତେବେ ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । କୋର୍ଟ ନିଜେ ଏହା ଉପରେ ପଦକ୍ଷେପ ନେବେ । ଦାରା ସିଂଙ୍କ ଓକିଲ ଏ.ପି. ସିଂ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ଗତ ଜୁଲାଇ ୬ ତାରିଖରେ ବସିଥିବା ଓଡ଼ିଶା ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ବୈଠକରେ ଦାରା ସିଂଙ୍କ ସମୟପୂର୍ବ ମୁକ୍ତି ପାଇଁ ସୁପାରିଶ କରାଯାଇଥିଲା ।
କେନ୍ଦୁଝର ଜିଲ୍ଲା କର୍ତ୍ତୃପକ୍ଷଙ୍କ ସକାରାତ୍ମକ ରିପୋର୍ଟ ଆଧାରରେ ଜେଲ୍ ମହାନିର୍ଦ୍ଦେଶକ ଏହି ପ୍ରସ୍ତାବ ବୋର୍ଡ ନିକଟକୁ ପଠାଇଥିଲେ । ଯାହାକୁ ଏବେ ଆଇନଗତ ମଞ୍ଜୁରୀ ମିଳିବାକୁ ଯାଉଛି ।
୨୨ ଜାନୁଆରୀ ୧୯୯୯ ବିଳମ୍ବିତ ରାତିରେ ମନୋହରପୁରଠାରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ୍ ଓ ତିମୋଥିଙ୍କୁ ଗାଡ଼ି ଭିତରେ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜାନୁଆରୀ ୨୦୦୦ ମସିହାରେ ଗିରଫ କରାଯାଇଥିଲା । ସେହିଦିନଠାରୁ ସେ କେନ୍ଦୁଝର ଜିଲ୍ଲା ଜେଲ୍ ସମେତ ବିଭିନ୍ନ କାରାଗାରରେ ପ୍ରାୟ ୨୬ ବର୍ଷରୁ ଅଧିକ ସମୟ କାଟିସାରିଛନ୍ତି । ୨୦୦୩ ମସିହାରେ ଏକ ସ୍ପେଶାଲ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ହେଲେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।