ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ହିଟ୍ମ୍ୟାନ୍ ଭାବେ ପରିଚିତ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଓ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ରୁ ଅବସର ନେଇ ସାରିଥିବାବେଳେ କେବଳ ଦିିନିକିଆ ଖେଳିବା ଜାରି ରଖିଛନ୍ତି। ୨୦୨୭ ଦିନିକିଆ ବିଶ୍ବକପ ଖେଳିବା ଲକ୍ଷ୍ୟ ରଖିଥିବା ରୋହିତଙ୍କ ଉକ୍ତ ସ୍ବପ୍ନ ଏବେ ସାକାର ହୋଇନପାରେ। ଲର୍ଡସରେ ରବିବାର ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ଶେଷ ଦିିନିକିଆ ଅବସରରେ ରୋହିତ ଅବସର ନେଇପାରିନ୍ତ ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଏପରି ରିପୋର୍ଟକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସ ଏକଦିବସୀୟ ରୋହିତଙ୍କର ଶେଷ ମ୍ୟାଚ୍ ହେବନାହିଁ।
ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ତୁମର େଶଷ ଶୃଙ୍ଖଳା ହେବ ବୋଲି ମନୋନୟନ କମିଟି ପକ୍ଷରୁ ରୋହିତଙ୍କୁ କୁହାଯାଇଥିବା ଜଣାପଡ଼ିଛି। ତୁମେ ୨୦୨୭ ବିଶ୍ବକପ ଯୋଜନାରେ ନାହଁ; ଏବଂ ଯଶସ୍ବୀ ଜୟସୱାଲଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯିବ ବୋଲି ଦଳୀୟ ମ୍ୟାନେଜମେଣ୍ଟ କହିଥିବା ଜଣାପଡ଼ିଛି। ଆଗକୁ ଖେଳିବା ଜାରି ରଖିବାକୁ ଚାହିଁବା ତୁମର ବ୍ୟକ୍ତିଗତ ପସନ୍ଦ ହେବ। ଏଥିପାଇଁ ଫର୍ମ ଓ ଫିଟ୍ନେସ ଜରୁରୀ ହୋଇପଡ଼ିବ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅନ୍ୟ ସଦସ୍ୟମାନେ ରୋହିତଙ୍କ ସହ ଏ ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିବା ଜଣାପଡ଼ିଛି। ୩୯ ବର୍ଷୀୟ ରୋହିତ ଇଂଲଣ୍ଡ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳାରେ ଦୁଇଟି ମ୍ୟାଚରେ ୧୧ ଓ ୨୬ରନ କରିଛନ୍ତି। ଅନ୍ୟପକ୍ଷରେ ରୋହିତଙ୍କ ପିତା ମାତା ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ଲାଗି ଲଣ୍ଡନ ଯିବା ପରେ ତାଙ୍କ ଅବସର ଚର୍ଚ୍ଚା ବଢିଛି। ପୁଅର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଦେଖିବା ଲାଗି ପିତା ମାତା ଲଣ୍ଡନରେ ପହଞ୍ଚିଥିବା ନେଇ ଜଣାପଡ଼ିଛି। ରୋହିତଙ୍କ ନେତୃତ୍ବେର ଭାରତ ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ ଜିତିଥିଲା। ଏହା ପରେ ରୋହିତ ଟ୍ବେଣ୍ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା କରିଥିଲେ।
ରୋହିତ ୨୦୦୭ ଜୁନ୍ ୨୩ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ସେ ଏଥିମଧ୍ୟରେ ୨୮୭ଟି ମ୍ୟାଚ ଖେଳି ୨୭୯ଟି ଇନିଂସରୁ ୩୩ଟି ଶତକ ଓ ୬୨ଟି ଅର୍ଦ୍ଧଶତକ ସହ ୧୧୭୫୭ରନ କରିଛନ୍ତି। ରୋହିତଙ୍କ ଅଧିନାୟକତ୍ବରେ ଭାରତ ୨୦୨୩ ଦିନିକିଆ ବିଶ୍ବକପର ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ। ସେହିପରି ୨୦୦୭ ସେପ୍ଟେମ୍ବର ୧୯ରେ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି୨୦ ପଦାର୍ପଣ କରିଥିଲେ। ସେ ୧୫୯ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୫ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ସହ ୪୨୩୧ରନ କରିଛନ୍ତି। ୨୦୨୪ ଜୁନ୍ ୨୯ରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହ ଟ୍ବେଣ୍ଟି୨୦ରୁ ଅବସର ଘୋଷଣା କରିଥିଲେ।
୨୦୧୩ ନଭେମ୍ବର ୬ରେ ଇଡେନଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ୬୭ଟି ଟେଷ୍ଟ ମ୍ୟାଚ ଖେଳି ୧୧୬ଟି ଇନିଂସରୁ ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ସହ ୪୩୦୧ରନ କରିଛନ୍ତି। ୨୦୨୪ ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ରୋହିତ ୨୦୦୭ ଓ ୨୦୨୪ ଟ୍ବେଣ୍ଟି୨୦ ବିଶ୍ବକପ, ୨୦୧୩ ଓ ୨୦୨୫ ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। କିନ୍ତୁ ଦିନିକିଆ ବିଶ୍ବକପ ଟ୍ରଫି ଜିତିବା ସ୍ବପ୍ନ ଅଧୁରା ରହିଛି।