ପୁରୀ : ଭାବ ଭକ୍ତିରେ ଭିଜିଲା ଶରଧାବାଲିରୁ ବଡ଼ଦାଣ୍ଡ । ବାହୁଡ଼ା ଯାତ୍ରା ପାଇଁ ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଜୟ ଜଗନ୍ନାଥ ଧ୍ବନିରେ କମ୍ପିଲା ରଥ ପଥ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଧାଡ଼ି ପହଣ୍ଡିରେ ଆସିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ଅଣାଯାଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ଆଗରେ ଶ୍ରୀଜିଉଙ୍କ ଅପେକ୍ଷାରେ ଥିଲେ ତିନି ରଥ । ପରେ ବଡ଼ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଆଣି ରଥାରୁଢ଼ କରିଥିଲେ ସେବାୟତ ।
ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନରେ ଆସିଥିଲେ ଦେବୀ ସୁଭଦ୍ରା । ଶେଷରେ ଟାହିଆ ଲଗାଇ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତ । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳିରେ କମ୍ପିଥିଲା ଚାରିଆଡ଼ । ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜନସମୁଦ୍ର ପାଲିଟିଥିଲା ବଡ଼ଦାଣ୍ଡ । ଗଜପତି ମହାରାଜ ଦିବ୍ୟସିଂହଦେବ ତାମଯାନରେ ଆସି ତିନି ରଥରେ କରିଥିଲେ ଛେରାପହଁରା । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ।
ପ୍ରଥମେ ମାଆ ସୁଭଦ୍ରାଙ୍କ ରଥ ଦର୍ପଦଳନ ପଛକୁ ବଡ଼ଠାକୁରଙ୍କ ରଥ ତାଳଧ୍ବଜକୁ ଟାଣିଥିଲେ ସେବାୟତ ଓ ଶ୍ରଦ୍ଧାଳୁ । ଶେଷରେ ନନ୍ଦିଘୋଷରେ ଆସିଥିଲେ ଅଝଟିଆ କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରୁ ଫେରିବା ବାଟରେ ମାଉସୀମା ବା ଅର୍ଦ୍ଧାଶିନୀ ମନ୍ଦିର ପାଖରେ ଘଡ଼ିଏ ଅଟକିଥିଲା ମହାପ୍ରଭୁଙ୍କ ତିନି ରଥ । ଶ୍ରୀଜିଉଙ୍କୁ ଲାଗି ହୋଇଥିଲା ପୋଡ଼ପିଠା ।
ରଥ ପଥ ପ୍ରକମ୍ପିତ ହେବା ସହ ପୁଣି ଆଗକୁ ଗଡ଼ିଥିଲା ତିନି ରଥ । ଚର୍ମନେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ ଶ୍ରଦ୍ଧାଳୁ । ରଥାରୁଢ଼ ଭଗବାନଙ୍କ ସହ ଭକ୍ତର ହୋଇଥିଲା ମିଳନ । ଉପରକୁ ହାତଯୋଡ଼ି ପ୍ରଣିପାତ କରିବା ସହ ଭକ୍ତ, ଶ୍ରଦ୍ଧାଳୁଙ୍କ ଆଖିରୁ ଝରିଥିଲା ଲୁହ । ସଂଧ୍ୟାବେଳେକୁ ସିଂହଦ୍ବାର ସାମ୍ନାରେ ଲାଗିଥିଲା ତିନି ରଥ । ତିନି ରଥକୁ ଏବେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।