ପୁରୀ : ବାହୁଡା ଯାତ୍ରାରେ ଅଣନିଶ୍ବାସୀ ହୋଇ ଜଣେ ମୃତ । ମୃତକ ହେଲେ ୫୭ ବର୍ଷୀୟ ଅବିରାମ ଦାସ । ଘର କଟକରେ । ଆଜି ସୁଭଦ୍ରା ରଥ ନିକଟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ସୂଚନା ଅନୁସାରେ ଅବିରାମ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଜନ୍ମବେଦୀରେ ଲୀଳାଖେଳା ପରେ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନବଦିନାତ୍ମକ ଯାତ୍ରା ଶେଷ କରି ଫେରୁଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ୩ ରଥ । ଭକ୍ତଙ୍କ ଗହଣରେ ଗଡ଼ୁଛି ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ଆଗରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ, ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା ।
ପଛେପଛେ ଆସୁଛନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବାକୁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଆସନ୍ତାକାଲି ସୁନାବେଶ । ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇପାରେ । ଏହାକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।