ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

0

ଭୁବନେଶ୍ୱର : ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଆସନ୍ତା ଅଗଷ୍ଟ ୧୬ ତାରିଖ ସରକାରୀ ଚାକିରିରୁ ଅବସର ନେବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀ ଭାବେ ନ୍ୟୁନତମ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପାଇଁ ତାଙ୍କ କାର୍ଯ୍ୟକାଳକୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ଖୁରାନିଆ ଓଡ଼ିଶାର ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ଏସ୍ ପି ଭାବେ କାର୍ଯ୍ୟ କରିଥିବାବେଳେ ଭୁବନେଶ୍ୱର-କଟକ ପୋଲିସ କମିଶନର, ଆଇଜି ଅପରେସନ ଓ ଭିଜିଲାନ୍ସର ସ୍ପେଶାଲ୍ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । BSFର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିବା ଖୁରାନିଆ ରାଜ୍ୟପାଳ ପଦକ, ପୋଲିସ ମେଡାଲ୍ ଫର୍ ମେରିଟୋରିଅସ୍ ସର୍ଭିସ୍, ରାଷ୍ଟ୍ରପତି ପୋଲିସ ପଦକ, ଅତି ଉତ୍କୃଷ୍ଟ ସେବା ପଦକ ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସେପଟେ ୟୁପିଏସସି ପକ୍ଷରୁ ଆସିବାକୁ ଥିବା ୩ ଜଣିଆ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି । ବରିଷ୍ଠତା ଓ ପ୍ରଶାସନିକ ଦକ୍ଷତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍‌ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୨ ବ୍ୟାଚ୍‌ର ସୁଶାନ୍ତ କୁମାର ନାଥ ଏବଂ ଆର.ପି. କୋଚେଙ୍କ ନାମ ପରବର୍ତ୍ତୀ ଡିଜିପି ରେସ୍‌ରେ ସବୁଠାରୁ ଆଗରେ ରହିଥିବା ସୂଚନା ମିଳିଛି । ୟୁପିଏସସି ସୁପାରିଶ ପାଇବା ପରେ ରାଜ୍ୟ ସରକାର ନୂଆ ପୋଲିସ ମୁଖ୍ୟଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।

Leave A Reply

Your email address will not be published.