ସୁନାବେଶ ଓ ଅଧରପଣା ପାଇଁ ଆଜି ପୁରୀକୁ ଗଡିବ ସ୍ୱତନ୍ତ୍ର ଟ୍ରେନ, ଶ୍ରଦ୍ଧାଳୁଙ୍କ ପାଇଁ ଆରାମଦାୟକ ହେବ ଯାତ୍ରା

0

ପୁରୀ : ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆରାମଦାୟକ ଓ ନିର୍ବିଘ୍ନ ଯାତ୍ରା କରିବା ସହିତ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି । ଆଜି ସୁନାବେଶ ଅବସରରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ଉତ୍ସବ ସମୟରେ ପୁରୀ ଆସୁଥିବା ଭକ୍ତମାନଙ୍କୁ ସୁବିଧାଜନକ ରେଳ ସଂଯୋଗ ଯୋଗାଇବା ଲକ୍ଷ୍ୟରେ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ସେବାର ଯୋଜନା କରାଯାଇଛି।

ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ୍, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ୍ ଓ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ।

ସେହିପରି ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଓ ଶାଲିମାର ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।

ଅଧରପଣା ଅବସରରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, କେନ୍ଦୁଝରଗଡ଼, ପାରାଦୀପ, ଭଦ୍ରକ ଓ ଖୋର୍ଦ୍ଧା ରୋଡରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ।

ଏହାସହ ପୁରୀରୁ ତାଳଚେର, ଢେଙ୍କାନାଳ, ବାଙ୍ଗିରିପୋଷି, ଭଦ୍ରକ, ଅନୁଗୁଳ, ଦଶପଲ୍ଲା, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, କେନ୍ଦୁଝରଗଡ଼ ଓ ପାରାଦୀପ ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ସେବା ଉପଲବ୍ଧ ହେବ। ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀଙ୍କ ନିର୍ବିଘ୍ନ ଯାତ୍ରା ସୁନିଶ୍ଚିତ କରିବା ପାଇଁ ରେଳ ମନ୍ତ୍ରଣାଳୟ ଏବଂ ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ଏବଂ ଟ୍ରେନ ଚଳାଚଳର ନିରନ୍ତର ତଦାରଖ ପାଇଁ ୨୪×୭ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି।

Leave A Reply

Your email address will not be published.