ନୂଆଦିଲ୍ଲୀ: ସୋମବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ୫ ପ୍ରତିଶତରୁ ଅଧିକ କମିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେଉଥିବା ଆକ୍ରମଣକୁ ସାମୟିକ ଭାବେ ବନ୍ଦ କରିବା ପରେ ଏହି ପରିବର୍ତ୍ତନ ଦେଖାଯାଇଛି । ଏଥିରୁ ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ ବାହାରିପାରେ ବୋଲି ଆଶା ବଢ଼ିଛି। ଏହା ସହିତ ହର୍ମୁଜ୍ ଜଳସନ୍ଧି ଦେଇ ପୁଣି ସାଧାରଣ ଭାବେ ତୈଳ ପରିବହନ ଆରମ୍ଭ ହେବ ବୋଲି ମଧ୍ୟ ଆଶା କରାଯାଉଛି ।
ଏହା ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ବଢ଼ିବାରୁ ତୈଳ ଦର ୧୦୦ ଡଲାର ପ୍ରତି ବ୍ୟାରେଲରୁ ଅଧିକକୁ ବଢ଼ିଯାଇଥିଲା । ହର୍ମୁଜ୍ ଜଳସନ୍ଧି ଦେଇ ତୈଳ ରପ୍ତାନି ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା ଥିବାରୁ ଦର ବେଶି ବଢ଼ିଥିଲା ।
ହର୍ମୁଜ୍ ଜଳସନ୍ଧି ଦୁନିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ମଧ୍ୟରୁ ଗୋଟିଏ । ବିଶ୍ୱର ବହୁ ପରିମାଣର ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଏହି ମାର୍ଗ ଦେଇ ପରିବହନ ହୁଏ । ଏଠାରେ ଦୀର୍ଘ ସମୟ ଧରି ସମସ୍ୟା ଲାଗି ରହିଲେ ବିଶ୍ୱର ଇନ୍ଧନ ଯୋଗାଣ, ଦରଦାମ ଏବଂ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିପାରେ ।
ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଆଉ ବଢ଼ିବ ନାହିଁ ବୋଲି ସଙ୍କେତ ମିଳିବା ପରେ ନିବେଶକଙ୍କ ମନରେ ଆଶ୍ୱସ୍ତି ଦେଖାଯାଇଛି । ଜାତିସଂଘରେ ଆମେରିକାର ରାଜଦୂତ ମାଇକ୍ ୱାଲ୍ଟଜ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଆଲୋଚନାକୁ ସୁଯୋଗ ଦେଉଛନ୍ତି । ପରିସ୍ଥିତିକୁ ଦେଖିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହି ସମୟରେ ଦୁଇ ଦେଶକୁ ପୁଣି ଆଲୋଚନା ଟେବୁଲକୁ ଆଣିବା ପାଇଁ ମଧ୍ୟସ୍ଥମାନେ ଉଦ୍ୟମ ଜାରି ରଖିଛନ୍ତି। ଆଲୋଚନା ପୁଣି ଆରମ୍ଭ ହୋଇପାରେ ବୋଲି ଆଶା ବଢ଼ିବାରୁ ଗତ ଦୁଇ ସପ୍ତାହ ଧରି ତୈଳ ବଜାରରେ ଯେଉଁ ଚିନ୍ତା ବଢ଼ିଥିଲା, ତାହା ଏବେ କିଛିଟା କମିଛି ।
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହ ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହେଉଛି । କିନ୍ତୁ ଭବିଷ୍ୟତରେ ସାମରିକ ପଦକ୍ଷେପ ନେବାର ସମ୍ଭାବନାକୁ ସେ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିନାହାନ୍ତି ।
ଏହି ସପ୍ତାହରେ ହ୍ୱାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିବାକୁ ଥିବା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଆଲୋଚନାକୁ ସମର୍ଥନ କରିଛନ୍ତି । ତେବେ ସେ କହିଛନ୍ତି ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଶେଷ କରିବା ଆବଶ୍ୟକ ।
ଆକ୍ରମଣ ସାମୟିକ ଭାବେ ବନ୍ଦ ହୋଇଥିଲେ ମଧ୍ୟ ହର୍ମୁଜ୍ ଜଳସନ୍ଧିକୁ ନେଇ ଚିନ୍ତା ଏବେ ବି ରହିଛି । ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଜାହାଜ ଚଳାଚଳ ପୂର୍ବଭଳି ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେମାନଙ୍କ ମତରେ, ୟେମେନର ହୁତି ବିଦ୍ରୋହୀ ଓ ସାଉଦି ଆରବ ମଧ୍ୟରେ ତଣାପୋଡ଼ା ବଢ଼ିଲେ ଅନ୍ୟ ସମୁଦ୍ର ମାର୍ଗ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ସେଥିପାଇଁ ତୈଳ ଦର କମିଥିଲେ ମଧ୍ୟ ବିଶ୍ୱ ବଜାରରେ ଭୂ-ରାଜନୈତିକ ଅନିଶ୍ଚିତତା ଏବେ ବି ରହିଛି ।