ଝାଡ଼ଖଣ୍ଡ ଛାତ୍ରଙ୍କ ଉପରେ ଲାଠି ଚାର୍ଜକୁ ନେଇ ରାହୁଲ ଗାନ୍ଧି ଖପ୍ପା, ଜାଣନ୍ତୁ ସୋରେନ ସରକାରଙ୍କୁ କହିଲେ କ’ଣ?
କଂଗ୍ରେସ ନେତା ରାହୁଲ ଗାନ୍ଧି ଝାଡଖଣ୍ଡ ରାଜଧାନୀ ରାଞ୍ଚୀରେ ପ୍ରଦର୍ଶନରତ ଛାତ୍ରଙ୍କ ଉପରେ ହୋଇଥିବା ଲାଠି ମାଡ଼କୁ ନେଇ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। କହିଛନ୍ତି ‘ଝାଡଖଣ୍ଡରେ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ଉପରେ ବଳ ପ୍ରୟୋଗ ଭୁଲ, ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ ଲାଗି ଛାତ୍ରଙ୍କ ଅଧିକାର ରହିଛି ଓ ଆଲୋଚନା ମାଧ୍ୟମରେ ସମାଧାନର ବାଟ କଢା ଯାଇ ପାରିବ। ରାହୁଲ କହିଛନ୍ତି ଯେ ଝାଡ଼ଖଣ୍ଡ ସରକାରଙ୍କୁ ଛାତ୍ରଙ୍କ କଥା ଶୁଣିବାକୁ ପଡିବ ଓ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ କାଢିବାକୁ ପଡିବ’।
ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ଯେ ‘ଝାଡଖଣ୍ଡ ଛାତ୍ରଙ୍କ ଲାଗି ଆମର ବାର୍ତ୍ତା ସ୍ପଷ୍ଟ , ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରୁଥିବା ଛାତ୍ରଙ୍କ ଉପରେ ହିଂସାତ୍ମକ ଆକ୍ରମଣକୁ ବିରୋଧ କରୁଛୁ’। ଉଲ୍ଲେଖଯୋଗ୍ୟ ଯେ ଝାଡଖଣ୍ଡରେ ଜେଏମଏମ, କଂଗ୍ରେସ ଓ ଆରଜେଡିର ମେଣ୍ଟ ସରକାର ରହିଛି। ତେବେ ରାହୁଲ ଗାନ୍ଧି ନିକଟରେ ଦିଲ୍ଲୀ ଜନ୍ତର-ମନ୍ତରରେ ହୋଇଥିବା ଛାତ୍ରଙ୍କ ଉପରେ ଲାଠିମାଡ଼କୁ ନେଇ ପ୍ରଶ୍ନ ଉଠାଉଛନ୍ତି ଓ ମାମଲାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜବାବ ଦାବି କରୁଛନ୍ତି। ଏଥିରେ ଝାଡଖଣ୍ଡ ଲାଠିଚାର୍ଜ ଘଟଣା ପରେ କଂଗ୍ରେସ ଉପରେ ବିଜେପି ପ୍ରଶ୍ନ ଉଠାଉଥିଲା ଯେ ପ୍ରସଙ୍ଗରେ ରାହୁଲ ଚୁପ କାହିଁକି? ଯାହାର ଜବାବ ରାହୁଲ ଗାନ୍ଧି ରଖିଛନ୍ତି।