୯ଟି ବିଭାଗରେ ନିଯୁକ୍ତି ପାଇଲେ ୧୩୨୬
ସରକାରୀ ଚାକିରି କେବଳ ଏକ ପଦବୀ ନୁହେଁ, ଏହା ହେଉଛି ଜନସେବାର ଏକ ବଡ଼ ଦାୟିତ୍ୱ। ସରକାରୀ ସେବାରେ ସଫଳତା ପଦବୀ ଦ୍ୱାରା ମପାଯାଏ ନାହିଁ, ବରଂ ନାଗରିକଙ୍କ ଜୀବନରେ କେତେ ପରିବର୍ତ୍ତନ ଆଣିପାରୁଛନ୍ତି, ତାହା ହିଁ ସଫଳତାର ପ୍ରକୃତ ମାପକ । ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ନିଯୁକ୍ତି ମେଳାରେ ୯ଟି ବିଭାଗର ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି । ଏଥିରେ କନିଷ୍ଠ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ସହକାରୀ ପ୍ରାଧ୍ୟାପକ, ଜୁନିଅର କୋଚ୍, ପ୍ରଶିକ୍ଷକ ଓ ଅବକାରୀ ଉପ-ନିରୀକ୍ଷକଙ୍କ ଭଳି ବିଭିନ୍ନ ପଦବୀ ସାମିଲ ରହିଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି ।
ସେହିପରି ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଜଣ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଛନ୍ତି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରୀକ୍ଷକ, କ୍ରୀଡ଼ା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରୀକ୍ଷକଙ୍କୁ ନିଯୁକ୍ତି ମିଳିଛି ।