ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ । ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି ବିରୋଧୀ । ଛାତ୍ରଙ୍କ ଉପରେ ପୋଲିସର ବଳପ୍ରୟୋଗକୁ କଡ଼ା ବିରୋଧ କରିଛି ବିଜେପି । ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ବିଜେପି । ଆଜି ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ ବୋଲି ଆହ୍ବାନ ଦେଇଛି ବିଜେପି । ସକାଳ ୮ଟାରୁ ରାଜ୍ୟର ବିଭିନ୍ନସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛି ବିଜେପି ।
ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷା JPSC ଓ JSSCରେ ଦୁର୍ନୀତି ପ୍ରତିବାଦରେ ଜାରି ରହିଥିବା ଆନ୍ଦୋଳନ ବିରୋଧରେ ଆନ୍ଦୋଳନ ଡାକରା ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ଆଦିତ୍ୟ ସାହୁ ଓ ବିରୋଧୀ ଦଳ ନେତା ବାବୁଲାଲ ମାରାଣ୍ଡି ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମଘଟ ବିଷୟରେ ଘୋଷଣା କରିଛନ୍ତି । ତେବେ ସମସ୍ତ ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ମୁକ୍ତ ରଖାଯାଇଛି । ଏହା ସହିତ କାଉଡ଼ିଆ/ବୋଲବମ୍ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଛି ।
ଅପରପକ୍ଷେ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଖୋଦ କଂଗ୍ରେସ ମଧ୍ୟ ନିନ୍ଦା କରିଛି । ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଛାତ୍ରଙ୍କ ଉପରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି । ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ହିଂସା ନିନ୍ଦନୀୟ ବୋଲି ରାହୁଲ କହିଛନ୍ତି ।
ତେବେ ଝାଡ଼ଖଣ୍ଡ ପ୍ରଶାସନିକ ସେବା ଓ ଅନ୍ୟ ସରକାରୀ ଚାକିରି ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ଦୁର୍ନୀତି, ବାରମ୍ବାର ପ୍ରଶ୍ନପତ୍ର ଲିକ୍ ବିରୋଧରେ ଜେପିଏସସି-ଜେଏସଏସସି ସଂସ୍କାର ମଞ୍ଚ ପକ୍ଷରୁ ବିଧାନସଭା ମାର୍ଚ୍ଚ ଆହ୍ୱାନ କରାଯାଇଥିଲା । ହାତରେ ଜାତୀୟ ପତାକା ଏବଂ ପ୍ଲାକାର୍ଡ ଧରି ହଜାର ହଜାର ଚାକିରି ଆଶାୟୀ ପୁରୁଣା ବିଧାନସଭା ଭବନରୁ ନୂତନ କମ୍ପ୍ଲେକ୍ସ ଆଡ଼କୁ ଆଗେଇ ଥିଲେ । ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ, ୱାଟର କ୍ୟାନନ ଏବଂ ଲାଠିଚାର୍ଜ ହୋଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନରେ ବହୁ ଛାତ୍ରଛାତ୍ର ଆହତ ହୋଇଛନ୍ତି । ଅନ୍ୟପଟେ ଗତ ୯ ଦିନ ହେବ ଅନଶନରେ ବସିଥିବା ଛାତ୍ର ନେତା ଦେବେନ୍ଦ୍ର ନାଥ ମାହତୋଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।