ଭାରତରେ ପୁଣି ଭୂକମ୍ପ ଝଟକା, ନାସିକରେ ଦୁଇଥର ଥରିଲା ଭୂମି
ଭାରତରେ ଆଜି, ଶୁକ୍ରବାର ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମହାରାଷ୍ଟ୍ରର ନାସିକରେ ଦୁଇଥର ଭୂକମ୍ପ ଘଟିଥିବା ଜଣାପଡ଼ିଛି। ପ୍ରଥମ ଭୂକମ୍ପ ମଧ୍ୟରାତ୍ରିରେ ଏବଂ ଦ୍ୱିତୀୟ ଭୂକମ୍ପ ଶୁକ୍ରବାର ସକାଳେ ଅନୁଭୂତ ହୋଇଥିଲା। ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଏବଂ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ନାସିକରେ ପ୍ରଥମ ଭୂକମ୍ପ ରାତି ୧୨ଟା ୫ ମିନିଟରେ ଘଟିଥିଲା। ଏହାର ତୀବ୍ରତା ୩.୫ ଥିବା ବେଳେ ଭୂକମ୍ପର ଗଭୀରତା ଭୂପୃଷ୍ଠଠାରୁ ୩ କିଲୋମିଟର ତଳେ ଥିଲା । ସେହିପରି ଶୁକ୍ରବାର ସକାଳ ୫ଟା ୩୨ ମିନିଟରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଏହି ଦୁଇଟି ଭୂକମ୍ପ ଝଟକାରେ ଗ୍ରମବାସୀ ଭୟଭୀତ ହୋଇପଡ଼ିଛନ୍ତି । ତେବେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।