ଚୀନ୍କୁ ଟାରିଫ୍ ଏଡ଼ାଇବାରେ ଭାରତ ସହାୟତା କରୁଛି! ଆମେରିକାର ବଡ଼ ଅଭିଯୋଗ
ଚୀନ୍କୁ ନେଇ ଭାରତ ବିରୋଧରେ ଆମେରିକାର ବଡ଼ ଅଭିଯୋଗ । ଚୀନ୍ର ସାମଗ୍ରୀ ଉପରେ ଲାଗିଥିବା ଆମେରିକୀୟ ଶୁଳ୍କକୁ ଏଡ଼ାଇବାରେ ଭାରତ ସମେତ ୪୦ରୁ ଅଧିକ ଦେଶ ସହାୟତା କରୁଥିବା ଆମେରିକା ଅଭିଯୋଗ କରିଛି । ହ୍ୱାଇଟ୍ ହାଉସ୍ର ଏକ ନୂଆ ରିପୋର୍ଟରେ ଏହାକୁ ‘ଶ୍ୟାଡୋ ଟ୍ରାନ୍ସସିପମେଣ୍ଟ ନେଟୱର୍କ’ ବୋଲି ଦର୍ଶାଯାଇଛି । ଆମେରିକାର ଅଭିଯୋଗ ହେଉଛି, ଚୀନ୍ରୁ ସିଧାସଳଖ ଆମେରିକା ଯାଉଥିବା ସାମଗ୍ରୀ ଉପରେ ଅଧିକ ଟାରିଫ୍ ଲାଗୁଥିବାରୁ ଏହାକୁ ତୃତୀୟ ଦେଶ ଦେଇ ଆମେରିକାକୁ ପଠାଯାଉଛି । ଏହି ପ୍ରକ୍ରିୟାରେ ପ୍ୟାକେଜିଂ, ଲେବେଲିଂ, ସାମାନ୍ୟ ପ୍ରୋସେସିଂ କିମ୍ବା ଦଲିଲରେ ପରିବର୍ତ୍ତନ କରି ସାମଗ୍ରୀର ମୂଳ ଉତ୍ପତ୍ତିକୁ ଅନ୍ୟ ଦେଶର ବୋଲି ଦେଖାଯାଉଥିବା ଅଭିଯୋଗ ରହିଛି ।
ଆମେରିକୀୟ ଟ୍ରେଡ୍ ଆଡଭାଇଜର ପିଟର ନାଭାରୋଙ୍କ ରିପୋର୍ଟ ଅନୁସାରେ, ଏହି କଥିତ ଟ୍ରାନ୍ସସିପମେଣ୍ଟ ଯୋଗୁଁ ଆମେରିକା ପ୍ରତିବର୍ଷ ବିପୁଳ ଟାରିଫ୍ ରାଜସ୍ୱ ହରାଉଛି। କିଛି ଆମେରିକୀୟ ଆକଳନରେ ଏହି ବ୍ୟବସାୟର ମୂଲ୍ୟ ପ୍ରାୟ ୬୦ ବିଲିୟନ୍ ଡଲାର ବୋଲି ଦାବି କରାଯାଇଛି । ଏହି ତାଲିକାରେ ଭାରତ ସହ କାନାଡା, ମେକ୍ସିକୋ, ଜାପାନ୍, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘର ଦେଶଗୁଡ଼ିକର ନାଁ ମଧ୍ୟ ରହିଛି । ତେବେ ଏହାର ଅର୍ଥ ଏହି ଦେଶଗୁଡ଼ିକ ସରକାରୀ ଭାବେ ଚୀନ୍କୁ ଟାରିଫ୍ ଏଡ଼ାଇବାରେ ସହାୟତା କରୁଛନ୍ତି ବୋଲି ପ୍ରମାଣିତ ହୋଇଯାଇଛି—ଏଭଳି ନୁହେଁ; ଆମେରିକା ଏହାକୁ ଟ୍ରାନ୍ସସିପମେଣ୍ଟ ଝୁମ୍ପ ଥିବା ଦେଶ ଭାବେ ଚିହ୍ନଟ କରିଛି । ଏବେ ଆମେରିକା ଏହି ଟାରିଫ୍ ଏଡ଼ାଇବା ପ୍ରକ୍ରିୟା ଉପରେ କଡ଼ା ନଜର ରଖିବାକୁ ଯାଉଛି ।
ଏଥିପାଇଁ ‘Detective Border’ ନାମକ ଏକ ଏଆଇ ଆଧାରିତ ବ୍ୟବସ୍ଥା ମାଧ୍ୟମରେ ସାମଗ୍ରୀର ଉତ୍ପତ୍ତି, ରୁଟ୍ ଏବଂ ବ୍ୟବସାୟିକ ତଥ୍ୟ ଯାଞ୍ଚ କରାଯିବା ଯୋଜନା ରହିଛି । ଟାରିଫ୍ ଏଡ଼ାଇବା ପ୍ରମାଣିତ ହେଲେ ଜରିମାନା, ଅତିରିକ୍ତ ଶୁଳ୍କ ଏବଂ ଅନ୍ୟ କଠୋର ପଦକ୍ଷେପ ନିଆଯାଇପାରେ।
ସେପଟେ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ମଧ୍ୟ ଜାରି ରହିଛି । ଏଭଳି ସମୟରେ ଭାରତର ନାଁ ଆମେରିକାର ଟାରିଫ୍ ଏଡ଼ାଇବା ସମ୍ପର୍କିତ ରିପୋର୍ଟରେ ଆସିବା ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ ପାଇଁ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରେ । ତେବେ ଆମେରିକାର ଏହି ଅଭିଯୋଗ ଉପରେ ଭାରତର ପ୍ରତିକ୍ରିୟା କଣ ରହିବ ଏବଂ ଏହା ଭାରତ-ଆମେରିକା ବାଣିଜ୍ୟ ଆଲୋଚନାକୁ କେତେ ପ୍ରଭାବିତ କରିବ—ଏବେ ତାହା ଉପରେ ନଜର ।