ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

କ.)  ଖଡ଼ଗପୁର – ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ – ୧୭୩ କିଲୋମିଟର (ପଶ୍ଚିମବଙ୍ଗ ଏବଂ ଓଡିଶା)

ଖ.)   ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନ – ୭୫ କିଲୋମିଟର (ଓଡିଶା)

ଗ.) ଗୁମ୍ମିଡିପୁଣ୍ଡି – ଗୁଡୁର ତୃତୀୟ ଏବଂ ଚତୁର୍ଥ ଲାଇନ୍ – ୯୦ କିଲୋମିଟର (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)

ଘ.) କଟକ – ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍ – ୭୨ କିଲୋମିଟର (ଓଡିଶା)

ବର୍ଦ୍ଧିତ ରେଳ ଲାଇନ କ୍ଷମତା ଟ୍ରାଫିକ ପ୍ରବାହରେ ଯଥେଷ୍ଟ ସୁଧାର ଆଣିବ। ଏହାଫଳରେ ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ଏବଂ ସେବା ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ରେଳଲାଇନ ସମ୍ପ୍ରସାରଣ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ। ଏହାର ଲକ୍ଷ୍ୟ ହେଉଛି, ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ସେଠାକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଯାହାଦ୍ୱାରା ସେମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି/ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ।

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଅଂଶବିଶେଷ, ଯାହାର ଲକ୍ଷ୍ୟ ହେଉଛି ସମନ୍ୱିତ ଯୋଜନା ପ୍ରସ୍ତୁତି ଏବଂ ଅଂଶୀଦାରଙ୍କ ପରାମର୍ଶ ମାଧ୍ୟମରେ ବହୁମୁଖି ଯୋଗାଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା। ଏହି ପ୍ରକଳ୍ପଗୁଡ଼ିକ ସାଧାରଣ ଯାତ୍ରୀ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ କରିବ।

ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ଏସବୁ ପ୍ରକଳ୍ପ ଦ୍ୱାରା ଲାଭାନ୍ୱିତ ହେବେ। ଏହି ଚାରୋଟି ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୪୧୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରିବ। ପ୍ରସ୍ତାବିତ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକ ପ୍ରାୟ ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ପ୍ରାୟ ୬,୪୪୮ ଗ୍ରାମକୁ ଯୋଗାଯୋଗରେ ସୁଧାର ଆଣିବ।

ଏହି ପ୍ରସ୍ତାବିତ କ୍ଷମତା ବୃଦ୍ଧି ଦ୍ୱାରା ଓଡ଼ିଶାର କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ, ମା’ ଭଦ୍ରକାଳୀ ମନ୍ଦିର, ମା’ ଧାମରାଇ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ତାଳସରୀ-ଉଦୟପୁର ଏବଂ ଚାନ୍ଦିପୁର ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ସାରଳା ମନ୍ଦିର, ଧବଳେଶ୍ୱର ମନ୍ଦିର, ଲଳିତ ଗିରି ବୌଦ୍ଧ ଐତିହ୍ୟ ସ୍ଥଳୀ ସମେତ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ରୁ ପୁଲିକେଟ୍‌ ହ୍ରଦ, ନେଲାପଟ୍ଟୁ ପକ୍ଷୀ ଅଭୟାରଣ୍ୟ, ବୀରରାଘବ ପେରୁମଲ ମନ୍ଦିର ଆଦି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ରେଳ ଯୋଗାଯୋଗରେ ସୁଧାର ଆସିବ।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କୋଇଲା, ଲୁହାପଥର, ସିମେଣ୍ଟ, ଲୁହା ଏବଂ ଇସ୍ପାତ, କଣ୍ଟେନର୍‌, ଅଟୋମୋବାଇଲ, ଶସ୍ୟ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଅତ୍ୟାବଶ୍ୟକ ମାର୍ଗ ହୋଇଥିବା କାରଣରୁ ଏହାର ନିର୍ମାଣ ଦ୍ୱାରା ବାର୍ଷିକ ୭୬ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ କ୍ଷମତା ବୃଦ୍ଧି ପାଇବ। ଭାରତୀୟ ରେଳବାଇର ପରିବେଶ ଅନୁକୂଳ ଏବଂ ଶକ୍ତି-ଦକ୍ଷ ପରିବହନ ପଦ୍ଧତି ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏଥିସହିତ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାଯ୍ୟ କରିବ। ଏହାଦ୍ୱାରା ତୈଳ ଆମଦାନୀ ପ୍ରାୟ ୧୩୦ ନିୟୁତ ଲିଟର ଏବଂ ଅଙ୍ଗାରକାମ୍ଳ ନିର୍ଗମନ ପ୍ରାୟ ୬୫୦ ନିୟୁତ କିଲୋଗ୍ରାମ ହ୍ରାସ ପାଇବ। ଏହା ୨ କୋଟି ୬୦ ଲକ୍ଷ ଗଛ ଲଗାଇବା ସହିତ ସମାନ।

Leave A Reply

Your email address will not be published.