ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି, ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ପଦକ୍ଷେପ

0

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି । ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ଆପୋସ ସମାଧାନ ଦିଗରେ ଆଉ ଏକ ପଦକ୍ଷେପ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବୈଷୟିକ ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ (CWC)ର ସଂପୃକ୍ତିକୁ ସ୍ୱାଗତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଜୁଲାଇ ୨୨ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିଷ୍ଣୁ ସାଏ ।

ଏଥିରେ ଆଲୋଚନା ଓ ପାରସ୍ପରିକ ସହଯୋଗ ଜରିଆରେ ମହାନଦୀ ବିବାଦର ଆପୋସ ସମାଧାନ ପାଇଁ ପଦକ୍ଷେପ ନେଇଥିବାରୁ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୁଇ ରାଜ୍ୟର ଲୋକଙ୍କ ବୃହତ୍ତର ସ୍ୱାର୍ଥରେ ଏକ ନ୍ୟାୟସଙ୍ଗତ, ସମାନତାଭିତ୍ତିକ ଓ ଦୀର୍ଘସ୍ଥାୟୀ ସମାଧାନ ପାଇଁ ଏହା ଉଭୟ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।

ବିଷ୍ଣୁ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି , ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବୈଷୟିକ ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ CWCକୁ ସାମିଲ କରିବା ପ୍ରସ୍ତାବକୁ ଛତିଶଗଡ଼ ସରକାର ଗ୍ରହଣ କରିଛନ୍ତି। ଗତ ୧୦ ମାସ ମଧ୍ୟରେ ଦୁଇ ରାଜ୍ୟର ପ୍ରତିନିଧିଙ୍କୁ ନେଇ ଗଠିତ ଯୁଗ୍ମ ବୈଷୟିକ କମିଟି ଏକାଧିକ ଥର ବୈଠକ କରିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ମାର୍ଗଦର୍ଶନରେ ଆଲୋଚନା, ତଥ୍ୟ ଆଦାନପ୍ରଦାନ ଏବଂ ପରସ୍ପରର ଚିନ୍ତାକୁ ବୁଝିବା ଜରିଆରେ ଅନେକ ବିବାଦୀୟ ପ୍ରସଙ୍ଗର ସମାଧାନ ହୋଇପାରିଛି।

ତେବେ କେତେକ ଜଟିଳ ଓ ଅସମାହିତ ପ୍ରସଙ୍ଗର ସମାଧାନ ପାଇଁ ଅତିରିକ୍ତ ସ୍ୱାଧୀନ ବୈଷୟିକ ବିଶେଷଜ୍ଞତା ଆବଶ୍ୟକ ବୋଲି ବିଷ୍ଣୁ ସାଏ କହିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ CWCକୁ ନିରପେକ୍ଷ ତୃତୀୟ ପକ୍ଷ ସହାୟକ ଭାବେ ସ୍ୱାଗତ କରିଛି ଛତିଶଗଡ଼। ସେମାନଙ୍କ ସଂପୃକ୍ତି ଆଲୋଚନା ପ୍ରକ୍ରିୟାର ବିଶ୍ୱସନୀୟତା ବଢ଼ାଇବା ସହ ସ୍ୱାଧୀନ ବୈଷୟିକ ମାର୍ଗଦର୍ଶନ ଦେବ ବୋଲି ବିଷ୍ଣୁ ସାଏ କହିଛନ୍ତି। ଅବଶିଷ୍ଟ ଜଳବିଜ୍ଞାନ, ପରିବେଶ ଓ ବିକାଶ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକୁ ଯାଞ୍ଚ ହୋଇଥିବା ତଥ୍ୟ ଆଧାରରେ ବିଚାର କରାଯିବା ଉଚିତ।

Leave A Reply

Your email address will not be published.