ଭୁବନେଶ୍ବର : ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଜିବନି ଡିଜେ । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଅନୁମତି ମିଳିଛି । ରାତି ୧୦ ପରେ ମ୍ୟୁଜିକ ବଜାଇବା ଉପରେ କଟକଣା ଲଗାଯାଇଛି । ଭସାଣିରେ ଡିଜେ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବାବେଳେ ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତଙ୍କ ବିରୋଧରେ କ୍ରିମିନାଲ କେସ୍ ରୁଜୁ କରାଯିବ । ଭସାଣି ପରିଚାଳନା ପାଇଁ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ପ୍ରାୟ ୧୦୦ ଜଣ ଅଧିକାରୀ ନିୟୋଜିତ ହେବେ ।
ସେହିପରି ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଥିବାବେଳେ ପ୍ରତ୍ୟେକ ସ୍ଥାନରେ ଅଗ୍ନି ନିରାପତ୍ତା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ । ଏନେଇ ପୋଲିସ କମିଶନରଙ୍କ ସ୍ତରରେ ବିଭିନ୍ନ ପୂଜା କମିଟି ଓ ଆୟୋଜକଙ୍କ ସହ ବୈଠକ ହୋଇଛି । ଏହାସହ ବିଭିନ୍ନ ଜୋନ୍ ର ଏସିପିଙ୍କ ସ୍ତରରେ ମଧ୍ୟ ବୈଠକ କରାଯାଇଛି । ଭସାଣିରେ ଡିଜେ ଗାଡ଼ିକୁ କୌଣସି ପରିସ୍ଥିତିରେ ଅନୁମତି ଦିଆଯିବ ନାହିଁ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବା ସହ ସାଉଣ୍ଡ ବକ୍ସ ବ୍ୟବହାର କ୍ଷେତ୍ରରେ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ପଡ଼ିବ । ରାତି ୧୦ଟା ପରେ ଶବ୍ଦ ପ୍ରଦୂଷଣ ନିୟମ ଅନୁଯାୟୀ ମ୍ୟୁଜିକ୍ ବଜାଇବା ଉପରେ କଟକଣା ରହିଛି ।
ସେହିପରି ଭସାଣି ପାଇଁ ମୋଟ ୬ଟି ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ଦୁଇଟି ଓ ଚନ୍ଦକା ଅଞ୍ଚଳରେ ଗୋଟିଏ ସ୍ଥାନରେ ବ୍ୟବସ୍ଥା ହୋଇଛି । ଭସାଣି ଶୋଭାଯାତ୍ରା ଯଥାଶୀଘ୍ର ସମ୍ପନ୍ନ କରିବା ସହ ପୋଲିସକୁ ସହଯୋଗ କରିବା ପାଇଁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ପ୍ରଶାସନର ନିୟମ ପାଳନ କରି ଶାନ୍ତିଶୃଙ୍ଖଳାର ସହ ଭସାଣି ଓ ରାବଣପୋଡ଼ି କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି ।