ଆମେରିକା ଗସ୍ତରେ ଯିବେ ସି ଜିନପିଙ୍ଗ୍, ସ୍ୱାଗତ କରିବେ ଟ୍ରମ୍ପ

0

ଆମେରିକା: ଆମେରିକା ଗସ୍ତରେ ଯିବେ ସି ଜିନପିଙ୍ଗ୍ । ବିମାନବନ୍ଦରରେ ସ୍ୱାଗତ କରିବେ ଟ୍ରମ୍ପ । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ହେଉଥିବା ଏହି ରାଷ୍ଟ୍ରୀୟ ଗସ୍ତକୁ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଚୀନ୍ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଆମେରିକା ରାଷ୍ଟ୍ରୀୟ ଗସ୍ତ । ଦୁଇ ନେତା ଶେଷଥର ପାଇଁ ଗତ ମେ’ ମାସରେ ବେଜିଂରେ ସାକ୍ଷାତ କରିଥିଲେ। ସି ଜିନପିଙ୍ଗ୍ ଆଜି ଅପରାହ୍ଣରେ ୱାଶିଂଟନ୍ ନିକଟସ୍ଥ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ରେ ପହଞ୍ଚିବେ । ପ୍ରଚଳିତ ପ୍ରୋଟୋକଲ୍ ରୁ ହଟି ରାଷ୍ଟ୍ରପତି ଟ୍ରମ୍ପ ବିମାନବନ୍ଦରରେ ନିଜେ ତାଙ୍କୁ ସ୍ୱାଗତ କରିବେ । ସାଧାରଣତଃ ଆମେରିକାର ରାଷ୍ଟ୍ରପତି ବିଦେଶୀ ନେତାଙ୍କୁ ହ୍ୱାଇଟ୍ ହାଉସ୍ ରେ ସ୍ୱାଗତ କରୁଥିବାରୁ ଏହି ପଦକ୍ଷେପକୁ ବିଶେଷ କୂଟନୈତିକ ସଙ୍କେତ ଭାବେ ଦେଖାଯାଉଛି । ସ୍ୱାଗତ ସମୟରେ ମେଲାନିଆ ଟ୍ରମ୍ପ ଓ ସିଙ୍କ ପତ୍ନୀ ପେଙ୍ଗ୍ ଲିୟୁଆନ୍ ମଧ୍ୟ ଉପସ୍ଥିତ ରହିବେ । ସି ଜିନପିଙ୍ଗ୍ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ରେ ପହଞ୍ଚିବେ ।

 

ରାଷ୍ଟ୍ରପତି ଟ୍ରମ୍ପ ସେଠାରେ ତାଙ୍କୁ ସ୍ୱାଗତ କରିବେ।ଆସନ୍ତାକାଲି ହ୍ୱାଇଟ୍ ହାଉସ୍ ରେ ସି ଜିନପିଙ୍ଗ୍ ଙ୍କୁ ଔପଚାରିକ ସ୍ୱାଗତ କରାଯିବ। ଗାର୍ଡ ଅଫ୍ ଅନର୍ , ସାମରିକ ବ୍ୟାଣ୍ଡ ଏବଂ ସୈନ୍ୟ ପରେଡ୍ ର କାର୍ଯ୍ୟକ୍ରମ ରହିଛି। ଗୋଟିଏ ବି-୨ ସ୍ପିରିଟ୍ ବୋମାବର୍ଷୀ ବିମାନ ଓ ଚାରିଟି ଏଫ୍ -୨୨ ରାପ୍ଟର୍ ଯୁଦ୍ଧବିମାନର ‘ଫ୍ଲାଇପାଷ୍ଟ’ ମଧ୍ୟ ହୋଇପାରେ । ଏହାପରେ ଟ୍ରମ୍ପ ଓ ସିଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହେବ। ସନ୍ଧ୍ୟାରେ ହ୍ୱାଇଟ୍ ହାଉସ୍ ର ଇଷ୍ଟ୍ ରୁମ୍ ରେ ରାଷ୍ଟ୍ରୀୟ ନୈଶଭୋଜି ଆୟୋଜନ କରାଯିବ । ଏଥିରେ ଆମେରିକାର ପ୍ରମୁଖ ପ୍ରଯୁକ୍ତି କମ୍ପାନୀର ମୁଖ୍ୟମାନେ ଯୋଗଦେବା ସମ୍ଭାବନା ରହିଛି ।

 

୨୫ ତାରିଖରେ ହ୍ୱାଇଟ୍ ହାଉସ୍ ରେ ଏକ ବ୍ୟକ୍ତିଗତ ଚା’-ଆଲୋଚନା ଓ ନ୍ୟାସନାଲ୍ ଆର୍କାଇଭ୍ ସ୍ ପରିଦର୍ଶନ ପରେ ସି ଆମେରିକାରୁ ଫେରିବେ। ଏହି ଗସ୍ତର ମୁଖ୍ୟ ଆକର୍ଷଣ ଔପଚାରିକ ସ୍ୱାଗତ ନୁହେଁ, ବରଂ ଦୁଇ ମହାଶକ୍ତି ମଧ୍ୟରେ ହେବାକୁ ଥିବା ଅର୍ଥନୈତିକ ଓ ରଣନୀତିକ ଆଲୋଚନା । ବାଣିଜ୍ୟ ଯୁଦ୍ଧବିରତିର ଅବଧି ବୃଦ୍ଧି, କିଛି ଅଣ-ରଣନୀତିକ ସାମଗ୍ରୀ ଉପରେ ଶୁଳ୍କ କୋହଳ, ବିରଳ ଖଣିଜ ପଦାର୍ଥର ଯୋଗାଣ, କୃତ୍ରିମ ବୁଦ୍ଧିମତ୍ତା ଓ ପ୍ରଯୁକ୍ତି ରପ୍ତାନି କଟକଣା ଆଲୋଚନାରେ ସ୍ଥାନ ପାଇପାରେ । ତେବେ ଆମେରିକାର ବ୍ୟାପକ ପ୍ରଯୁକ୍ତି ରପ୍ତାନି ନିୟନ୍ତ୍ରଣ ପ୍ରତ୍ୟାହାର ହେବାର ସମ୍ଭାବନା କମ୍ । ତାଇୱାନ୍ କୁ ଆମେରିକାର ଅସ୍ତ୍ର ବିକ୍ରି ମଧ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେବ। ଏହି ବିକ୍ରି ବନ୍ଦ କରିବା ପାଇଁ ସି ଜିନପିଙ୍ଗ୍ ଟ୍ରମ୍ପଙ୍କ ଉପରେ ଚାପ ପକାଇପାରନ୍ତି । ଏହା ସହ ରୁଷ ଓ ଇରାନ୍ ରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲଗାଇବାର ଆମେରିକୀୟ ବ୍ୟବସ୍ଥା, ରୁଷ–ୟୁକ୍ରେନ୍ ଯୁଦ୍ଧ, ପଶ୍ଚିମ ଏସିଆ ଏବଂ ଦୁଇ ଦେଶର ସାମରିକ ସମ୍ପର୍କ ଉପରେ ମଧ୍ୟ କଥାବାର୍ତ୍ତା ହୋଇପାରେ । ଛଅ ମାସ ମଧ୍ୟରେ ଦୁଇ ନେତାଙ୍କ ପାରସ୍ପରିକ ଗସ୍ତକୁ ବେଜିଂ ‘ଐତିହାସିକ ଓ ମାଇଲଖୁଣ୍ଟ’ ବୋଲି କହିଛି । ତେବେ କୌଣସି ମିଳିତ ଘୋଷଣାପତ୍ର କିମ୍ବା ବଡ଼ ଚୁକ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଗୁରୁବାରର ଦ୍ୱିପାକ୍ଷିକ ବୈଠକ ପରେ ଗସ୍ତର ବାସ୍ତବ ଫଳାଫଳ ସ୍ପଷ୍ଟ ହେବ ।

 

ନ୍ୟୁୟର୍କରେ ଚାଲିଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରେ ଗତକାଲି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସାକ୍ଷତ କରିଥିଲେ ଟ୍ରମ୍ପ । ଏ ସମୟରେ ଚୀନ ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ କହିଥିଲେ ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି ଏକ ଚମତ୍କାର ବୈଠକ ହେବାକୁ ଯାଉଛି। ଆମ ମଧ୍ୟରେ ଖୁବ୍ ଉତ୍ତମ ସମ୍ପର୍କ ରହିଛି । ସେ ଚୀନକୁ ଭଲ ପାଆନ୍ତି ଏବଂ ମୁଁ ଆମେରିକାକୁ ଭଲ ପାଏ । ଆଗାମୀ କାଲି ସନ୍ଧ୍ୟାର କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମସ୍ତେ ସେଠାରେ ଉପସ୍ଥିତ ରହିବାକୁ ଚାହାନ୍ତି ।

Leave A Reply

Your email address will not be published.