ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମାର୍କ ଉଡ୍

0

ଲଣ୍ଡନ: ଇଂଲଣ୍ଡର ବୃତ୍ତପ୍ରବୃତ୍ତ ଫାଷ୍ଟ୍ ବୋଲର୍ ମାର୍କ ଉଡ୍ ୩୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ନିଜର ୧୧ ବର୍ଷର ଚିତ୍ତାକର୍ଷକ କ୍ୟାରିୟର୍‌ରେ ସେ ମୋଟ ୧୪୬ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୨୫୩ଟି ୱିକେଟ୍ ହାସଲ କରିଛନ୍ତି। ଇଂଲଣ୍ଡର ୨୦୧୯ ଦିନିକିଆ ବିଶ୍ୱକପ୍ ଏବଂ ୨୦୨୨ ଟି-୨୦ ବିଶ୍ୱକପ୍ ବିଜେତା ଦଳର ସେ ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ୪ଟି ସ୍ମରଣୀୟ ଆଶେସ୍ ସିରିଜ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।

 

ଉଡ୍‌ଙ୍କ କ୍ୟାରିୟର୍ ଯେତିକି ଉପଲବ୍ଧିପୂର୍ଣ୍ଣ ଥିଲା, ଆଘାତ ସହ ସଂଘର୍ଷ ମଧ୍ୟ ସେତିକି ଜଟିଳ ଥିଲା। ଆଣ୍ଠୁରେ ଆଘାତ ସତ୍ତ୍ୱେ ସେ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଯନ୍ତ୍ରଣା ଭୁଲି ବୋଲିଂ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଦୀର୍ଘ ୮ ମାସର ବିଶ୍ରାମ ପରେ ଗତବର୍ଷ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଆଶେସ୍ ଟେଷ୍ଟ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ବି ସେହି ମ୍ୟାଚ୍‌ ବେଳେ ପୁନର୍ବାର ଆଣ୍ଠୁ ସମସ୍ୟା ଦେଖାଦେଇଥିଲା। ଏହା ପରଠାରୁ ସେ ଆଉ ଇଂଲଣ୍ଡ ପାଇଁ ଜର୍ସି ପିନ୍ଧିପାରି ନାହାନ୍ତି। ମେଡିକାଲ୍ ଟିମ୍‌ର ପରାମର୍ଶ କ୍ରମେ ଆଗକୁ ଟେଷ୍ଟ୍ ଓ ଦିନିକିଆ ଖେଳିବା ଆଉ ସମ୍ଭବ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

ଉଡ୍ ଇଂଲଣ୍ଡ ପାଇଁ ୩୮ ଟେଷ୍ଟ୍ ଖେଳି ୧୧୯ ୱିକେଟ୍ ନେଇଥିବା ବେଳେ ୭୦ ଦିନିକିଆରେ ୮୦ ୱିକେଟ୍ ତାଙ୍କ ନାମରେ ରହିଛି। ସେହିପରି ୩୮ ଟି-୨୦ ଅନ୍ତର୍ଜାତୀୟ ଖେଳି ସେ ୫୪ ୱିକେଟ୍ ହାସଲ କରିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬/୩୭ ରହିଛି। ଉଡ୍ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ମୋଟ ୧୮ ୱିକେଟ୍ ନେଇଥିଲେ। ସେହିପରି ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଚାରିଟି ମ୍ୟାଚ୍‌ରେ ୯ ୱିକେଟ୍ ଅକ୍ତିଆର କରିଥିଲା। ଇଂଲଣ୍ଡ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ଜିତିଥିଲା। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ ମଧ୍ୟ ସେ ଘରୋଇ କ୍ରିକେଟ୍‌ରେ ଡରହାମ୍ ପକ୍ଷରୁ ଟି-୨୦ ବ୍ଲାଷ୍ଟ୍‌ରେ ଖେଳିବା ଜାରି ରଖିବେ।

Leave A Reply

Your email address will not be published.