ସରକାରୀ ନିୟମ ଓ ନଜରଦାରି ନିହାତି ଆବଶ୍ୟକ, AI ନେଇ ବିଲ୍ ଗେଟ୍ସଙ୍କ ବଡ଼ ଚେତାବନୀ

0

AI ନେଇ ବିଲ୍ ଗେଟ୍ସଙ୍କ ବଡ଼ ଚେତାବନୀ । କହିଛନ୍ତି, ଏହା ଶକ୍ତିଶାଳୀ ହୋଇସାରିଛି ଯେ ଏହାର ଦୁରୁପଯୋଗ ଏପରି ବିପର୍ଯ୍ୟୟକାରୀ ଘଟଣାକୁ ଜନ୍ମ ଦେଇପାରେ । ଯେଉଁଥିରେ ୧୦୦ କୋଟି ଲୋକଙ୍କ ଜୀବନ ଯାଇପାରେ । ତେଣୁ କେବଳ AI କମ୍ପାନୀଗୁଡ଼ିକର ନିଜସ୍ୱ ନିୟନ୍ତ୍ରଣ ଯଥେଷ୍ଟ ନୁହେଁ, ସରକାରୀ ନିୟମ ଓ ନଜରଦାରି ଆବଶ୍ୟକ ବୋଲି ବିଲ୍ ଗେଟ୍ସ ମତ ଦେଇଛନ୍ତି ।

NBCର ‘Meet the Press’ କାର୍ଯ୍ୟକ୍ରମ ପାଇଁ ଦେଇଥିବା ସାକ୍ଷାତକାରରେ ଗେଟ୍ସ ଏହା କହିଛନ୍ତି । ତେବେ AI ଯୋଗୁଁ ସମଗ୍ର ମାନବଜାତିର ବିଲୋପ ନିଶ୍ଚିତ ବୋଲି ସେ କହିନାହାନ୍ତି । ତାଙ୍କର ମୁଖ୍ୟ ଚିନ୍ତା , ଖରାପ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତିଙ୍କ ହାତରେ ଅତ୍ୟାଧୁନିକ AI ଉପକରଣ ପଡ଼ିଲେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । AI କମ୍ପାନୀଗୁଡ଼ିକ ନିଜେ ନିଜକୁ ନିୟନ୍ତ୍ରଣ କରିବା ଯଥେଷ୍ଟ ନୁହେଁ ବୋଲି ଗେଟ୍ସ ସ୍ପଷ୍ଟ କରିଛନ୍ତି ।

AI ପାଇଁ ଆଇନ ଆଣିବା ଉଚିତ କି ବୋଲି ପଚରାଯିବାରୁ ସେ ଦୃଢ଼ ସମର୍ଥନ ଜଣାଇଛନ୍ତି । ସରକାର, ରାଜନେତା ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା AI ପାଇଁ କେଉଁ ସୁରକ୍ଷା ବ୍ୟବସ୍ଥା ଓ କେଉଁ ପ୍ରକାର ନଜରଦାରି ବାଧ୍ୟତାମୂଳକ ହେବ, ତାହା ନିର୍ଦ୍ଧାରଣ କରିବା ଦରକାର ବୋଲି ସେ କହିଛନ୍ତି । Anthropic CEO ଡାରିଓ ଆମୋଡେଇ ‘We Must Pace the Frontier’ ଶୀର୍ଷକ ଲେଖାରେ ଅତ୍ୟାଧୁନିକ AIର ବିକାଶକୁ ଅଧିକ ସତର୍କତାର ସହ ଆଗକୁ ନେବାକୁ ଆହ୍ୱାନ କରିଛନ୍ତି ।

ତାଙ୍କ ମତରେ AIର କ୍ଷମତା ଏତେ ଦ୍ରୁତ ଗତିରେ ବଢ଼ୁଛି ଯେ ଏହାକୁ ବୁଝିବା ଓ ନିୟନ୍ତ୍ରଣ କରିବାର ମାନବୀୟ କ୍ଷମତା ପଛରେ ପଡ଼ିଯିବାର ଆଶଙ୍କା ରହିଛି। OpenAI CEO ସାମ୍ ଅଲ୍ଟମ୍ୟାନ୍ ମଧ୍ୟ AIର ଅତ୍ୟାଧୁନିକ ସୀମାରେ ବିକାଶର ଗତିକୁ ସତର୍କତାର ସହ ପରିଚାଳନା କରିବା ନେଇ ଆମୋଡେଇଙ୍କ ମତ ସହ ସହମତି ପ୍ରକାଶ କରିଛନ୍ତି । ଏଲନ୍ ମସ୍କ ମଧ୍ୟ ଆମୋଡେଇଙ୍କ ଚିନ୍ତାକୁ ସମର୍ଥନ କରିଛନ୍ତି। Google DeepMindର ଡେମିସ୍ ହାସାବିସଙ୍କ ସମେତ ଅନ୍ୟ କେତେକ AI ବିଶେଷଜ୍ଞ ମଧ୍ୟ ଅଧିକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ AIରୁ ମାନବଜାତି ବିଲୋପ ଭଳି ଆଶଙ୍କାକୁ ନେଇ ଭିନ୍ନ ମତ ରଖିଛନ୍ତି । ଆମେରିକା ପାଇଁ ଚୀନ ସହ AI ପ୍ରତିଯୋଗିତାରେ ଆଗରେ ରହିବା ଜରୁରୀ ବୋଲି ସେ ଗୁରୁତ୍ୱ ଦେଇଆସିଛନ୍ତି। ବିଲ୍ ଗେଟ୍ସଙ୍କ ଚିନ୍ତାର କାରଣ ସାଇବର ଆକ୍ରମଣ, ଜୈବିକ ଗବେଷଣାର ଦୁରୁପଯୋଗ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ବାଧା ଦେବା ଭଳି କାମରେ AIର ଦୁରୁପଯୋଗ । ତେବେ ୧୦୦ କୋଟି ଲୋକଙ୍କ ମୃତ୍ୟୁ କିପରି ଘଟିପାରେ, ସେନେଇ ସେ କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତି ବା ପଥ ବ୍ୟାଖ୍ୟା କରିନାହାନ୍ତି ।

Leave A Reply

Your email address will not be published.