ଭୁବନେଶ୍ୱର: ଦକ୍ଷିଣ ମିଆଁମାର ଉପକୂଳରେ ସୃଷ୍ଟି ହେଲା ଲଘୁଚାପ । ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗରକୁ ଗତି । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କରିଛି । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ରବିବାର ଦକ୍ଷିଣ ମିଆଁମାର ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ପ୍ରାୟ ୯.୪ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି । ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ଏବଂ ମିଆଁମାର ସଂଲଗ୍ନ ଇରାୱାଡି ଅଞ୍ଚଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଲଘୁଚାପର ଗତିପଥ ଓ ତୀବ୍ରତା କିପରି ବଦଳୁଛି, ତାହା ଉପରେ ନଜର ରହିବ । ବିଶେଷକରି ଏହା ଆଣ୍ଡାମାନ ସାଗରରେ ପହଞ୍ଚିବା ପରେ ଆହୁରି ସଂଗଠିତ ହେଉଛି କି ନାହିଁ ଏବଂ ପରବର୍ତ୍ତୀ ଗତିପଥ କେଉଁ ଦିଗରେ ରହୁଛି ତାହା ଏଯାଏ ସ୍ପଷ୍ଟ ହୋଇନି ।