ଚିଲିକାରେ ଆରମ୍ଭ ହେଲା ପକ୍ଷୀ ସୁରକ୍ଷା ଅଭିଯାନ, ବିଦେଶୀ ପକ୍ଷୀଙ୍କ ପାଇଁ ୨୪ ଘଣ୍ଟିଆ ସୁରକ୍ଷା
ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଆରମ୍ଭ ହୋଇଛି ପକ୍ଷୀ ସୁରକ୍ଷା ଅଭିଯାନ । ଶୀତ ଋତୁରେ ଚିଲିକାକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କ ସୁରକ୍ଷାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ । ଏଥିପାଇଁ ଚିଲିକାର ବିଭିନ୍ନ ସ୍ଥାନରେ ଖୋଲାଯାଇଛି ଅସ୍ଥାୟୀ ସୁରକ୍ଷା କ୍ୟାମ୍ପ । ପ୍ରତି କ୍ୟାମ୍ପରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ନିୟୋଜିତ ହୋଇ ୨୪ ଘଣ୍ଟିଆ ନଜର ରଖିବେ।
ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ଆସିଥାନ୍ତି ହଜାର ହଜାର ବିଦେଶୀ ପକ୍ଷୀ । ଏହି ପ୍ରବାସୀ ପକ୍ଷୀଙ୍କ ସୁରକ୍ଷା ସହିତ ଅବାଧ ବିଚରଣ ଏବଂ ନିରାପଦ ପରିବେଶ ସୁନିଶ୍ଚିତ କରିବାକୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଚିଲିକାର ବିଭିନ୍ନ ପକ୍ଷୀ ଅଭୟାରଣ୍ୟ ଓ ସମ୍ବେଦନଶୀଳ ଅଞ୍ଚଳରେ ଖୋଲାଯାଇଛି ଅସ୍ଥାୟୀ କ୍ୟାମ୍ପ । ଏହି କ୍ୟାମ୍ପ ଗୁଡ଼ିକରେ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପାଳି କରି ୨୪ ଘଣ୍ଟିଆ ପହରା ଦେବେ । ବେଆଇନ ଶିକାର, ପକ୍ଷୀ ହତ୍ୟା ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉପରେ ରହିବ କଡ଼ା ନଜର ।