ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମ୍ ରହିଥିବାବେଳେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଅକ୍ଟୋବର ୧୪ରୁ ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ବଢ଼ିବାର ପୂର୍ବାନୁମାନ ରହିଛି। ପାଣିପାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ବାଂଲାଦେଶ ଓ ଏହାର ସଂଲଗ୍ନ ଅଞ୍ଚଳ ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରଭାବିତ କରିବା ସହ ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ପରିସ୍ଥିତି ତିଆରି କରିପାରେ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ୧୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତାପମାତ୍ରା କ୍ଷେତ୍ରରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୩୪.୮ ଡିଗ୍ରୀ ଏବଂ କଟକରେ ୩୩.୪ ଡିଗ୍ରୀ ସେଲ୍ସିୟସ୍ ରହିଛି। ରବିବାର ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ଥିବାରୁ ୟେଲୋ ୱାର୍ଣିଁ ଜାରି କରାଯାଇଛି।
ଅକ୍ଟୋବର ୧୨ରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଓ ଗଞ୍ଜାମର କେତେକ ସ୍ଥାନରେ ବର୍ଷା ହୋଇପାରେ। ଅକ୍ଟୋବର ୧୩ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୧୪ରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବଢ଼ିପାରେ। ଅକ୍ଟୋବର ୧୬ରେ ଉତ୍ତର ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଅଞ୍ଚଳରେ ବର୍ଷା ହୋଇ ପାରେ