ନେପାଳ: ନେପାଳର ବୁଧି ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିଛି । ଏହି ଭୟାବହ ବନ୍ୟାରେ ଗୋରଖା ଜିଲ୍ଲାର ତିନୋଟି ସେତୁ ଭାସିଯାଇଛି ଏବଂ ଅନେକ ଘରେ ପାଣି ପ୍ରବେଶ କରିଛି । ସମସ୍ତଙ୍କ ସୁରକ୍ଷା ପାଇଁ ଜରୁରୀକାଳୀନ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ନେପାଳର NDRRMA ପକ୍ଷରୁ ଏକ ଜରୁରୀକାଳୀନ ସୂଚନା ଜାରି କରାଯାଇଛି । ବନ୍ୟା ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ନଦୀର ତଳମୁଣ୍ଡରେ ଥିବା ତ୍ରିଶୂଳୀ ଦୋଭାନ ପର୍ଯ୍ୟନ୍ତ ସମସ୍ତ ବାସିନ୍ଦାଙ୍କୁ ନଦୀ କୂଳକୁ ନଯିବାକୁ ଏବଂ ତୁରନ୍ତ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହି ସମୟରେ, ବିପର୍ଯ୍ୟୟ ପରିଚାଳନା ଦଳ ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି ।
ସୂଚନାନୁଯାୟୀ, ଜଗତ ଅଞ୍ଚଳରେ ନଦୀ ଶଯ୍ୟାରେ ଥିବା ୫ ରୁ ୭ଟି ଘର ଭାସିଯାଇଛି ଏବଂ ତଳମୁଣ୍ଡରେ ଥିବା ଆହୁରି ଅନେକ ଘର ନଷ୍ଟ ହୋଇଯାଇଛି । ସେହିପରି ଧାର୍ଚେ ଅଞ୍ଚଳର ମାଛାଖୋଲା ଏବଂ କେରାଉଜା ମଧ୍ୟରେ ଥିବା ଏକ ପୋଲ ସହିତ ଆରୁଘାଟର ସୋତିଠାରେ ଥିବା ଗାଡ଼ି ଚଳାଚଳ ଉପଯୋଗୀ ଲୁହା ପୋଲଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଏଥିରେ କିନ୍ତୁ କେହି ପ୍ରାଣହାନି ହୋଇଥିବା କୌଣସି ସୂଚନା ମିଳିନାହିଁ । ସିଉରିବାସ ଉପରେ ହୋଇଥିବା ଏକ ବଡ଼ ଭୂସ୍ଖଳନ ଯୋଗୁଁ ଏହି ଆକସ୍ମିକ ବନ୍ୟା ଆସିଛି । ଭୂସ୍ଖଳନ ଯୋଗୁଁ ଚେକାମପାରଠାରେ ନଦୀର ସ୍ରୋତ କିଛି ସମୟ ପାଇଁ ବନ୍ଦ ହୋଇ ଏକ କୃତ୍ରିମ ମାଟି-ବନ୍ଧ ସୃଷ୍ଟି ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଭାଙ୍ଗିଯିବା ଫଳରେ ନଦୀର ତଳମୁଣ୍ଡକୁ ହଠାତ୍ ବିପୁଳ ପରିମାଣର ପାଣି ଓ କାଦୁଅ ମାଡ଼ି ଆସିଛି ।
ସୂଚନାଯୋଗ୍ୟ ଅଗଷ୍ଟ ୨୬ ତାରିଖରେ ନେପାଳର ଭୋଟେକୋଶି ନଦୀରେ ମଧ୍ୟ ବଡ଼ ବନ୍ୟା ଆସିଥିଲା । ୧୪୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୦୦୦ ରୁ ଅଧିକ ଲୋକ ନିଖୋଜ ହୋଇଥିଲେ। ଏହି ଭୟଙ୍କର ବନ୍ୟା ନେପାଳକୁ ପ୍ରାୟ ୧.୬୬ ବିଲିୟନ ଆମେରିକୀୟ ଡଲାରର ସିଧାସଳଖ ଆର୍ଥିକ କ୍ଷତି କରିଥିଲା ।