ଭୁବନେଶ୍ବର: ବାତ୍ୟା ଆସୁଛି ନା ଗୁଜବ? IMD କହିଲା କ’ଣ? GFS ବନାମ ECMWF: କାହାର ସଙ୍କେତ କ’ଣ? ସମୁଦ୍ର ଭିତରେ କ’ଣ ଚାଲିଛି? ବଙ୍ଗୋପସାଗର ଉପରେ କଡ଼ା ନଜର! । ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତରେ କ’ଣ କହୁଛି ପାଣିପାଗ ବିଭାଗ? ବାତ୍ୟା ଆସିବା ନେଇ କୌଣସି ନିଶ୍ଚିତ ସଙ୍କେତ ମିଳିଛି କି? ଭାରତୀୟ ପାଣିପାଗ ବିଭାଗର ସମୁଦ୍ର ପାଣିପାଗ ବୁଲେଟିନ୍ ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବର୍ଷା ଓ ଘଡ଼ଘଡ଼ି ସହିତ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ IMD ବର୍ତ୍ତମାନ କୌଣସି ବାତ୍ୟା ସତର୍କତା ଜାରି କରିନାହିଁ ।
ଅନ୍ୟପଟେ ଘରୋଇ ପାଣିପାଗ ସଂସ୍ଥା Skymet ଅକ୍ଟୋବର ୯ ତାରିଖରେ ପ୍ରକାଶ କରିଥିବା ବିଶ୍ଳେଷଣରେ କହିଥିଲା ଯେ, ଅକ୍ଟୋବର ୨୩ ପର୍ଯ୍ୟନ୍ତ ବଙ୍ଗୋପସାଗର କିମ୍ବା ଆରବ ସାଗରରେ କୌଣସି ବଡ଼ ପାଣିପାଗ ବ୍ୟବସ୍ଥାର ସଙ୍କେତ ନାହିଁ । ତେବେ ମାସର ଶେଷ ଭାଗ କିମ୍ବା ନଭେମ୍ବରରେ ପ୍ରଥମ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ସଂସ୍ଥା ସମ୍ଭାବନା ରଖିଥିଲା। ଅକ୍ଟୋବର ୧୫ର ଅନ୍ୟ ଏକ ବିଶ୍ଳେଷଣରେ Skymet କହିଛି, ଦକ୍ଷିଣ ଭାରତରେ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ହେବା ସହ ତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବର୍ଷା ବଢ଼ିପାରେ । ଅକ୍ଟୋବର ୨୦ରୁ ୨୪ ମଧ୍ୟରେ ବର୍ଷା ଜାରି ରହିପାରେ ଏବଂ ଶେଷ ସପ୍ତାହରେ ବର୍ଷା କାର୍ଯ୍ୟକଳାପରେ ବିରତି ଆସିପାରେ। ଆମେରିକାର GFS ଏବଂ ୟୁରୋପର ECMWF ଭଳି ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ର ପୂର୍ବାନୁମାନକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।
ତେବେ ଅକ୍ଟୋବର ୧୮ର ସଦ୍ୟତମ ମଡେଲ୍ ରନ୍ ରୁ ଶେଷ ସପ୍ତାହରେ ଶକ୍ତିଶାଳୀ ବାତ୍ୟା ହେବାର କୌଣସି ନିର୍ଭରଯୋଗ୍ୟ ମିଳିତ ସଙ୍କେତ ଏହି ଯାଞ୍ଚରେ ସ୍ଥାପିତ ହୋଇନାହିଁ । ପାଣିପାଗ ମଡେଲ୍ ର ଦୀର୍ଘମିଆଦୀ ପୂର୍ବାନୁମାନ ସମୟ ସହ ବଦଳିପାରେ । ତେଣୁ କୌଣସି ଗୋଟିଏ ମଡେଲ୍ ରେ ବାତ୍ୟା ସଙ୍କେତ ଦେଖାଗଲେ ତାହାକୁ ନିଶ୍ଚିତ ପୂର୍ବାନୁମାନ ବୋଲି ଗ୍ରହଣ କରିବା ଠିକ୍ ନୁହେଁ । ଏବେ ପ୍ରଶ୍ନ ହେଉଛି, ଆଗାମୀ ଦିନରେ ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବ କି? ଆଉ ହେଲେ ତାହା କେତେ ଶକ୍ତିଶାଳୀ ହେବ? ଏହା ଜାଣିବା ପାଇଁ IMDର ପରବର୍ତ୍ତୀ ସରକାରୀ ପୂର୍ବାନୁମାନକୁ ଅପେକ୍ଷା କରିବାକୁ ପଡ଼ିବ। ଅକ୍ଟୋବର ଶେଷରେ ଓଡ଼ିଶାକୁ ଭୟଙ୍କର ବାତ୍ୟା ମାଡ଼ିଆସୁଛି ବୋଲି ଏବେଠାରୁ କହିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।