ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା! ୨୭ରୁ ୨୯ ଯାଏଁ ପ୍ରବଳ ବର୍ଷା
ମାଡ଼ି ଆସୁଛି ବାତ୍ୟା । ସିଧା ମାଡ଼ ହେଉ କି ନ ହେଉ, ଓଡ଼ିଶାକୁ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଘାଣ୍ଟିବ । ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ଭୟ ରହିଛି । ଉଡ଼ାଇବ ଆଉ ଭସାଇବ । ଚାଷୀ କୂଳ ଚିନ୍ତାରେ । ଅମଳ ଆଗରୁ ଧାନ ଉଜୁଡ଼ିଯିବ କି? ବରବାଦ ହୋଇଯିବ କି ରବି ଫସଲ ଆଉ ପନିପରିବା କ୍ଷେତ । ଖାଲି ସେତିକି ନୁହେଁ, ବିଭିନ୍ନ ନଦୀ ଫୁଲିବା ସହ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଭୟ ରହୁଛି ।
ବିଭିନ୍ନ ପାଣିପାଗ ମଡେଲ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କହିଛି ଆଣ୍ଡାମାନ ଉପରେ ଥିବା ଲଘୁଚାପ ୨୬ ତାରିଖ ବେଳକୁ ବାତ୍ୟା ରୂପ ନେବ । ପବନର ବେଗ ୨୭ ତାରିଖ ବେଳକୁ ୯୦ କିମି ହୋଇପାରେ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବ । ୟୁରୋପୀୟ ପାଣିପାଗ ସଂସ୍ଥା ଇସିଏମ୍ଡବ୍ଲ୍ୟୁଏଫ କହୁଛି ପବନର ବେଗ ୧୪୦ କିମି ଡେଇଁପାରେ । ବିଶାଖାପାଟଣାର ଦକ୍ଷିଣରେ ମାଡ଼ ହୋଇପାରେ । ପାଣିପାଗ ମଡେଲ୍ ଜିଏଫ୍ଏସ୍ ପୂର୍ବାନୁମାନ ଅତି ଭୟଙ୍କର । ପବନର ବେଗ ୨୦୦ ଟପିପାରେ ବୋଲି ଇସାରା କରିଛି । କାକିନାଡ଼ା ପାଖାପାଖି ସ୍ଥଳଭାଗରେ ପ୍ରବେଶ କରିବ ।
ଉତ୍ତର ଆନ୍ଧ୍ରରେ ସିଧା ମାଡ଼ ହେଲେ ବି ଓଡ଼ିଶା ଉପରେ ସାଂଘାତିକ ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଦକ୍ଷିଣ ଓଡ଼ିଶାରେ ୧୦୦ କିମିରୁ ଅଧିକ ବେଗରେ ଚାଲିପାରେ ପବନ, ପାରାଦୀପ ଯାଏ ଉପକୂଳ ଓଡ଼ିଶାରେ ୭୦ କିମି ପବନ ମାଡ଼ ହେବ । ତା ସାଙ୍ଗକୁ ଅତି ପ୍ରବଳ ବର୍ଷା । ସ୍ଥିତି ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି । ଜିରୋ କାଜୁଆଲିଟି ନୀତିରେ କାମ କରିବାକୁ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି । ଲୋକେ ବିଚଳିତ କିମ୍ବା ଆତଙ୍କିତ ନହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।