ଭୁବନେଶ୍ୱର: ଓଡ଼ିଶା ହେବ କେମିକାଲ-ପେଟ୍ରୋକେମିକାଲ ହବ୍ । ଓଡ଼ିଶାରେ ନୂଆ ଶିଳ୍ପ, ନୂଆ ନିଯୁକ୍ତିର ଆଶା । ଇଣ୍ଡିଆ କେମ୍ ୨୦୨୬ରେ ନିବେଶକଙ୍କୁ ଆକର୍ଷିତ କରିବ ଓଡ଼ିଶା । ମୁମ୍ବାଇରୁ ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମେଗା ମିଶନ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ମୁମ୍ବାଇରେ ଦେଶ-ବିଦେଶରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଅଧିବେଶନରେ ଯୋଗଦେବା ସହ ସିଇଓ ରାଉଣ୍ଡଟେବୁଲ୍ ରେ ଶିଳ୍ପ ଜଗତର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ । ଏଥିସହ ବିଭିନ୍ନ କମ୍ପାନୀର ପ୍ରତିନିଧିଙ୍କ ସହ ଏକକ ବୈଠକ କରିବେ । ୨୦ରୁ ଅଧିକ ଶିଳ୍ପ ସଂସ୍ଥା ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶାରେ ନୂଆ ନିବେଶ, ଶିଳ୍ପ ସମ୍ପ୍ରସାରଣ ଓ ଡାଉନଷ୍ଟ୍ରିମ୍ ଉତ୍ପାଦନର ସମ୍ଭାବନା ଉପରେ ଆଲୋଚନା କରିବେ। ଓଡ଼ିଶାରେ ରସାୟନ ଓ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ନିବେଶକୁ ଗୁରୁତ୍ବ ଦିଆଯିବ । ବିଶେଷକରି କୋଇଲା ଗ୍ୟାସୀକରଣ ପ୍ରକଳ୍ପ, ଡାଉନ୍ ଷ୍ଟ୍ରିମ୍ ଶିଳ୍ପ ଏବଂ ପ୍ରସ୍ତାବିତ ବୃହତ୍ କେମିକାଲ୍ ଶିଳ୍ପ ପାର୍କ ଉପରେ ଗୁରୁତ୍ୱ ରହିବ। ସମ୍ମିଳନୀରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ନିବେଶ ନୀତି ଓ ସମ୍ଭାବନା ଉପସ୍ଥାପନ କରାଯିବ । କାର୍ଯ୍ୟକ୍ରମର ଗୁରୁତ୍ୱ ସମ୍ପର୍କରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି, ଇଣ୍ଡିଆ କେମ୍ ମାଧ୍ୟମରେ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ନୂଆ ନିବେଶ ଓ ଶିଳ୍ପ ସହଭାଗିତାର ସୁଯୋଗ ସୃଷ୍ଟି କରାଯାଇପାରିବ ।