ଭୁବନେଶ୍ୱର(ଆମ ଟିଭି): କଳାହାଣ୍ଡିରୁ ଆସି ରାଜଧାନୀରେ ନିଜ କଳାସାମ୍ରାଜ୍ୟ ବିସ୍ତାର କରିଥିବା ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ ନାଗଫାସର ଟେର ପାଇପାରୁନି ପୁଲିସ୍। ଏପରିକି ଏଥିରେ ବହୁ ବଡ଼ବଡ଼ିଆ ସାମିଲ ଥିବା ବେଳେ ସେମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ସରକାର ଚେଷ୍ଟା ଚଳାଉଥିବା କହିଛି ବିଜେପି। ଏପରିକି ଏହି ଘଟଣାକୁ ଚାପି ଦେବାକୁ ସରକାର ଚେଷ୍ଟା କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅର୍ଚ୍ଚନାଙ୍କ ହାଇ ପ୍ରୋଫାଇଲ ରାକେଟରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି, ପୁଲିସ୍ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛି । ଅଭିଯୁକ୍ତକୁ ଗିରଫ କରିବା ପରେ ବି କାହିଁକି ଜେରା କରାଯାଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ମୃତି । ରାକେଟ ପଛରେ ସରକାରୀ ଦଳ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହିଛି । ତେଣୁ ଏହାର ସିବିଆଇ ଦାବି କରାଯାଉ । ଅଭିଯୁକ୍ତଙ୍କ ଭିତରେ ଯିଏ ଥାଉ ନା କାହିଁକି ସିବିଆଇ ତଦନ୍ତ କଲେ ସବୁ ସତ ପଦାକୁ ଆସିବ ବୋଲି ବିଜେପି କହିଛି ।