ୟୁକ୍ରେନ ଉପରେ ପୁଣି ରକେଟ ମାଡ଼ କଲା ଋଷ
କିବ୍: ସପ୍ତାହକ ପରେ ଆଜି ପ୍ରତ୍ୟୁଷରେ ପୁଣି ରୁଷୀୟ ରକେଟ୍ ଆକ୍ରମଣରେ ୟୁକ୍ରେନୀୟ ରାଜଧାନୀ କିବ୍ ଥରହର ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଦି ଆସୋସିଏଟ୍ ପ୍ରେସ୍’ ରିପୋର୍ଟ କରିଛି।
ୟୁକ୍ରେନ୍ର ପୂର୍ବାଞ୍ଚଳରେ ଲଢ଼େଇ ଭୀଷଣ ହେବାରୁ ଏବଂ ଦକ୍ଷିଣରେ ୟୁକ୍ରେନ୍ ପ୍ରତିଆକ୍ରମଣ କରିବାରୁ କିବ୍ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା କଥା ମେୟର୍ ଭିଦାଲି କ୍ଲିଚ୍ଖୋ କହିଛନ୍ତି। ଏହି ଆକ୍ରମଣରେ କିବ୍ର କେନ୍ଦ୍ରୀୟ ସେଭ୍ଚେଙ୍କୋ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।
ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ‘ଚିଫ୍ ଅଫ୍ ଷ୍ଟାଫ୍’ ଆଣ୍ଡ୍ରିଇ ୟେର୍ମାକ୍ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ଆଜି କିବ୍ ଉପରେ ଆକ୍ରମଣ କରିବା ଲାଗି ରୁଷ୍ ‘କାମିକାଜେ ଡ୍ରୋନ୍’ ବ୍ୟବହାର କରିଛି। ଏମିତି କରି ସଫଳ ହେବେ ବୋଲି ରୁଷୀୟମାନେ ଭାବୁଛନ୍ତି। କିନ୍ତୁ, ଏହା ସେମାନଙ୍କ ହତାଶାର ନିଦର୍ଶନ। ଯଥା ଶୀଘ୍ର ସମ୍ଭବ ଆମେ ଅଧିକ ‘ଏୟାର୍ ଡିଫେନ୍ସ୍ ସିଷ୍ଟମ୍’ ଆବଶ୍ୟକ କରୁଛୁ। ଆକାଶକୁ ସୁରକ୍ଷା ଦେବା ଓ ଶତ୍ରୁକୁ ଧ୍ବଂସ କରିବା ପାଇଁ ଅଧିକ ଅସ୍ତ୍ର ଆବଶ୍ୟକ।
‘ଏଏଫ୍ପି’ ଫଟୋଗ୍ରାଫର୍ ଉତ୍ତୋଳନ କରିଥିବା ଫଟୋରେ ଦେଖାଯାଉଛି ଡ୍ରୋନ୍ ସବୁ ତଳକୁ ଆସୁଥିବା ବେଳେ ତଳେ ଥିବା ପୁଲିସ ଅଧିକାରୀମାନେ ଗୁଳି ଚଳାଉଛନ୍ତି। ସେମାନେ ଉଠାଇଥିବା ଆଉ ସବୁ ଫଟୋରେ ଦେଖାଯାଉଛି ଯେ, ସମଗ୍ର ସହରରେ ଘଟିଥିବା ବିସ୍ଫୋରଣଜନିତ ଧୂଆଁ ଉଠୁଛି।