୧୧ରୁ ବନ୍ଦେ ଭାରତ ଟ୍ରେନ,ଚେନ୍ନାଇରୁ ମହୀଶୂର

0

ଚେନ୍ନାଇ : ବନ୍ଦେ ଭାରତ ଟ୍ରେନ୍ ଚଳିତ ମାସରେ ଦକ୍ଷିଣ ଭାରତରେ ଚଳାଚଳ ଆରମ୍ଭ କରିବ। ଚେନ୍ନାଇରୁ ବାଙ୍ଗାଲୋର ଦେଇ ମହୀଶୂର ଯାତ୍ରା କରିବ ଏହି ଅର୍ଦ୍ଧ-ଦ୍ରୁତଗାମୀ ଟେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କର୍ଣ୍ଣାଟକ ଗସ୍ତ ଅବସରରେ ନଭେମ୍ବର ୧୧ରେ ପତାକା ହଲାଇ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ।

ବିଦ୍ୟୁତ୍‌ଶକ୍ତିରେ ଚାଳିତ ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଦେଶୀୟ ପ୍ରଯୁକ୍ତିରେ ତିଆରି। ଏହା ସମ୍ପୂର୍ଣ୍ଣ ବାତାନୁକୂଳିତ ଏବଂ ଏହାର ଦୁଇଟା ବିଭାଗ ରହିବ- ଏକ୍‌ଜିକ୍ୟୁଟିଭ୍ ଓ ଇକନମି କାର୍। ଏକ୍‌ଜିକ୍ୟୁଟିଭ୍ ବଗିରେ ୧୮୦ ଡିଗ୍ରି ଘୂର୍ଣ୍ଣାୟମାନ ଚେୟାର ରହିବ ଏବଂ ଇକନମି ବଗିରେ ସିଟ୍‌ଗୁଡ଼ିକ କାର୍ ସିଟ୍ ପରି ଆରାମଦାୟକ ‌ହେବ। ଏହି ଏକ୍ସପ୍ରେସ୍ ଟ୍ରେନ୍ ବୁଧବାର ଛଡ଼ା ସବୁଦିନ ଚାଲିବ। ଏଥିରେ ୧୬ଟି କୋଚ୍‌ରେ ୧,୧୨୮ ଜଣ ଯାତ୍ରୀ ବସିପାରିବେ। ଇକନମି କ୍ଲାସ୍ ଏସି ଚେୟାର କାର୍‌ରେ ଚେନ୍ନାଇରୁ ମହିଶୂର ଯିବା ପାଇଁ ୯୨୧ ଟଙ୍କା ଭଡ଼ା ପଡ଼ିବ। ଏକ୍‌ଜିକ୍ୟୁଟ୍ କ୍ଲାସ୍‌ରେ ତା’ର ପ୍ରାୟ ଦୁଇଗୁଣ ୧୮୮୦ ଟଙ୍କା ପଡ଼ିବ। ଚେନ୍ନାଇରୁ ମହୀଶୂର ୫୦୪ କିମି ଯିବା ପାଇଁ ୬ ଘଣ୍ଟା ୪୦ ମିନିଟ ସମୟ ଲାଗିବ। ଶତାବ୍ଦୀ ଏକ୍ସପ୍ରେସ୍‌ଠାରୁ ଏଥିରେ ୩୯ ପ୍ରତିଶତ ଅଧିକ ଭଡ଼ା ପଡ଼ିବ। କାରଣ ଏସି ଚେୟାର କାର୍ ପାଇଁ ୪୦ ଟଙ୍କା ଏବଂ ରିଜର୍ଭେସନ ଓ କ୍ୟାଟରିଂ ଚାର୍ଜ ବାବଦକୁ ଏକ୍‌ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୭୫ ଟଙ୍କା ଅଧିକ ପଡ଼ିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.